ଚଣ୍ଡୀଗଡ଼: ଘରୋଇ ତାପଜ ବିଦ୍ୟୁତ କେନ୍ଦ୍ର ବା ଥର୍ମାଲ ପ୍ଲାଣ୍ଟ କିଣିବେ ପଞ୍ଜାବ ସରକାର |ପଞ୍ଜାବର ଭଗବନ୍ତ ମାନ୍ ସରକାର ପ୍ରତିଦିନ ନୂଆ ଘୋଷଣା କରି ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ବାସ୍ତବରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କିଛି ସମୟ ପୂର୍ବରୁ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ ପଞ୍ଜାବ ସରକାର ଏକ ଘରୋଇ ତାପଜ ବିଦ୍ୟୁତ କାରଖାନା କିଣିବାକୁ ଯାଉଛନ୍ତି। ଏହାକୁ ନେଇ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ଭଗବନ୍ତ ମାନଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ମାନଙ୍କ ଟ୍ୱିଟର ଉତ୍ତରରେ କେଜ୍ରିୱାଲ କହିଛନ୍ତି ଯେ ଖୁସିର କଥା | ପଞ୍ଜାବ ସରକାର ତାପଜ ବିଦ୍ୟୁତ ପ୍ଲାଣ୍ଟ କିଣିବାକୁ ଯାଉଛନ୍ତି | ଅଦ୍ୟାବଧି ଅନ୍ୟ ଦଳର ସରକାର ସରକାରୀ ସମ୍ପତ୍ତିକୁ ଘରୋଇକରଣ କରିଦେଉଥିଲେ ଆଉ ସଫେଇରେ କହୁଥିଲେ ଯେ ବହୁ କ୍ଷତି ହେଉଥିବାରୁ ସରକାର ଚଳାଇବାକୁ ସକ୍ଷମ ନୁହଁନ୍ତି, ସେଥିପାଇଁ ସେମାନେ ଘରୋଇକରଣ କରୁଛନ୍ତି।
ଦିଲ୍ଲୀର ସରକାରୀ ବିଦ୍ୟାଳୟ ଏବଂ ଡାକ୍ତରଖାନାଗୁଡ଼ିକୁ ସଫଳତାର ସହ ଚଳାଇବା ପରେ ବର୍ତ୍ତମାନ ଆମ ସରକାର ପଞ୍ଜାବରେ ଘରୋଇ ତାପଜ ପ୍ଲାଣ୍ଟ କିଣୁଛନ୍ତି। ଏହାଦ୍ୱାରା ବିଭିନ୍ନ କମ୍ପାନୀର ବିଦ୍ୟୁତ ମୂଲ୍ୟ ଅପେକ୍ଷା ବିଦ୍ୟୁତ୍ ଶସ୍ତା ହେବ। ଆମେ ଲୋକଙ୍କୁ ଶସ୍ତାରେ ବିଦ୍ୟୁତ ଯୋଗାଇ ଦେଖାଇଦେବୁ | ସୂଚନା ଥାଉ କି ଯେ ଜୁନ୍ ୨୯ରେ ମାନ ସରକାର ଜନସାଧାରଣଙ୍କୁ ଖୁସି କରିବା ପାଇଁ ଆଉ ଏକ ନିଷ୍ପତ୍ତି ନେଇଥିଲେ | ଯେଉଁଥିରେ ହଜାର ହଜାର କୋଟି ଟଙ୍କା ଲୁଟି ନେଇଥିବା ପର୍ଲ ଗ୍ରୁପ କମ୍ପାନୀର ସମସ୍ତ ସମ୍ପତ୍ତି ଜବତ କରିବାକୁ ଘୋଷଣା କରିଥିଲେ | ପଞ୍ଜାବ ସରକାରଙ୍କ ଘୋଷଣା ଅନୁଯାୟୀ ସରକାର ପର୍ଲ ଗ୍ରୁପ କମ୍ପାନୀର ସମସ୍ତ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାପରେ ଜବତ ସମ୍ପତ୍ତିକୁ ନିଲାମ କରି ଲୋକଙ୍କୁ ଟଙ୍କା ଫେରସ୍ତ କରାଯିବ |