ହିଂସା କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ

ମନ୍‌ କି ବାତ୍‌

ନୂଆଦିଲ୍ଲୀ: ହିଂସା ଏବଂ ଆତଙ୍କ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ। କେବଳ ଶାନ୍ତି ଓ ଅହିଂସା ମାଧ୍ୟମରେ ସମସ୍ୟା ସମାଧାନର ରାସ୍ତା ଖୋଜିବାକୁ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ କହିଛନ୍ତି। ଜାଲିଆନାଓ୍ଵାଲା ବାଗ ଗଣହତ୍ୟା ପ୍ରସଙ୍ଗରେ ଚର୍ଚ୍ଚା କରି ମୋଦି କହିଥିଲେ ଯେ ୧୯୧୯, ଏପ୍ରିଲ ୧୩ ତାରିଖର ସେହି କଳା ଦିନକୁ କେହି ଭୁଲିପାରିବେ ନାହିଁ, ଯେଉଁଦିନ ନିଷ୍ଠୁରତା ଓ ବର୍ବରତା ସବୁ ସୀମା ଟପି ଯାଇଥିଲା। କିନ୍ତୁ ହିଂସାର କଦାପି ବିଜୟ ହୋଇନାହିଁ। ଶାନ୍ତି, ଅହିଂସା, ତ୍ୟାଗ ଓ ବଳିଦାନ ହିଁ ଶେଷରେ ବିଜୟୀ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ଜାତୀୟତାବାଦୀ ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟ ଏକତା ପାଇଁ ତାଙ୍କର ଅବଦାନ ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖାର୍ଜୀଙ୍କ ତ୍ୟାଗ ଓ ପରାକାଷ୍ଠା ଯୋଗୁଁ ପଶ୍ଚିମବଂଗର ଏକ ଅଂଚଳ ଆଜି ଭାରତ ସହିତ ରହିବାକୁ ସକ୍ଷମ ହୋଇଛି ବୋଲି ସେ କହିଥିଲେ। ପଶ୍ଚିମବଂଗର କଲ୍ୟାଣ ପାଇଁ ଶ୍ୟାମା ପ୍ରସାଦ ଅହରହ ଚିନ୍ତା କରୁଥିଲେ ଏବଂ ତାଙ୍କର ଦେଶପ୍ରେମ ଓ ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଥିଲା ବୋଲି ସେ କହିଥିଲେ। ଦେଶର ସଂଘୀୟ ବ୍ୟବସ୍ଥାକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌୍‌ଟି) ବ୍ୟବସ୍ଥା ସୁଦୃଢ଼ କରିଛି ଏବଂ ଏହି ବ୍ୟବସ୍ଥା ଦେଶରେ ଇନିସ୍‌ପେକ୍ଟର ରାଜକୁ ଶେଷ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର