ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୯୩ତମ ସଂସ୍କରଣରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଚଣ୍ଡୀଗଡ଼ ବିମାନବନ୍ଦର ସହିଦ ଭଗତ ସିଂହଙ୍କ ନାମରେ ନାମିତ ହେବ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ଆଜି ସେପ୍ଟେମ୍ବର ୨୫ ହେଉଛି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିବସ। ସେ ଜଣେ ମହାନ ମାନବବାଦୀ, ଚିନ୍ତାନାୟକ ଓ ଭାରତମାତାର ସୁଯୋଗ୍ୟ ସନ୍ତାନ। ଭାରତୀୟ ଦର୍ଶନ ଆଧୁନିକ, ସାମାଜିକ ଓ ରାଜନୈତିକ ପ୍ରେକ୍ଷାପଟରେ ବି କିପରି ସାରା ବିଶ୍ବକୁ ପରିଚାଳିତ କରିପାରିବ ତାହା ସେ ଶିଖାଇଥିଲେ। ସେ ଆମର ହୀନମନ୍ୟତାକୁ ଦୂର କରି ବୌଦ୍ଧିକ ଚେତନାକୁ ଜାଗ୍ରତ କରାଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସହିଦ ଭଗତ ସିଂହଙ୍କ ଜନ୍ମବାର୍ଷିକୀର ଅବ୍ୟବହିତ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଣ୍ଡୀଗଡ଼ ବିମାନବନ୍ଦରକୁ ତାଙ୍କରି ନାମରେ ନାମିତ କରାଯିବ।
ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍‌ରେ ଚିତାଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ବର୍ଜନ ପର୍ଯ୍ୟନ୍ତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ କହିଲେ ଯେ ୭୦ ବର୍ଷ ପରେ ଭାରତ ମାଟିକୁ ଚିତା ଫେରିବା ପରେ ଦେଶବାସୀ ଖୁସି ହୋଇଛନ୍ତି। ୧୩୦ କୋଟି ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ହୋଇଛି। ଏକ ଟାସ୍କଫୋର୍ସ ଚିତାଙ୍କୁ ମନିଟର କରୁଛି ଏବଂ ଆଗାମୀ ଦିନରେ ଜନସାଧାରଣ ଚିତାଙ୍କୁ ଦେଖିବା ପାଇଁ ସମୟ ଘୋଷଣା କରାଯିବ।

Advertisment

ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ଜୋରଦାର କରାଯିବ ବୋଲି ମୋଦୀ କହିଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆତ୍ମନିର୍ଭର ଭାରତକୁ ଆଗେଇ ନେବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖଦି ଓ ହସ୍ତତନ୍ତ ସାମଗ୍ରୀ କିଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହା ମଧ୍ୟ ଆମର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏକ ଶ୍ରଦ୍ଧାଞ୍ଜଳି ହେବ। ପ୍ଲାଷ୍ଟିକ୍ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ହୋଇଥିବାରୁ ଥରେମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌କୁ ବର୍ଜନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପ୍ଲାଷ୍ଟିକ୍ ଯୋଗୁ ପରିବେଶର କେତେ କ୍ଷତି ହୋଇଛି, ତାହା ତାଙ୍କୁ କାକିନାଡ଼ା ଅଞ୍ଚଳର ଲୋକେ କହିଥିଲେ। ଅନ୍ତର୍ଜାତୀୟ ବାଜରା ବର୍ଷରେ ମାଣ୍ଡିଆ ଓ ବାଜରାଜାତୀୟ ଶସ୍ୟ ଉତ୍ପାଦନରେ କୃଷକମାନଙ୍କ ଭୂମିକା ଆଦି ଉପରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିଥିଲେ।