ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୧୧୨ତମ ଅଧ୍ୟାୟରେ ସେ ନିଶା ବିରୋଧୀ ଲଢ଼େଇ ପାଇଁ ଆରମ୍ଭ ହୋଇଥିବା ‘ମାନସ’ ନାମକ ଏକ ନୂଆ ହେଲ୍ପଲାଇନ ତଥା ପୋର୍ଟାଲ ଉପରେ ଆଲୋକପାତ କରିଛନ୍ତି। ନିଶା ବିରୋଧୀ ଲଢ଼େଇରେ ‘ମାନସ’ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଛନ୍ତି। ‘ମା‌ନସ’ ନାମରେ ଖୋଲାଯାଇଥିବା ଏହି ସ୍ୱତନ୍ତ୍ର କେନ୍ଦ୍ର ଏବଂ ପୋର୍ଟାଲରେ ଜରୁରୀ ସେବା ଉପଲବ୍ଧ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ସରକାର ଏକ ଟୋଲ୍ ଫ୍ରି ନମ୍ବର ‘୧୯୩୩’ ମଧ୍ୟ ଜାରି କରିଛନ୍ତି। ଥଇଥାନ ସମ୍ବନ୍ଧୀୟ ଆବଶ୍ୟକ ପରାମର୍ଶ କିମ୍ବା ସୂଚନା ପାଇବା ପାଇଁ ଯେ କେହି ଏହି ନମ୍ବରକୁ କଲ୍ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଆଜି ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ଆସାମର ଅହୋମ ରାଜବଂଶର ଏକ ଅନନ୍ୟ ୭୦୦ ବର୍ଷ ପୁରୁଣା ମାଟି-ସମାଧି ବ୍ୟବସ୍ଥା ‘ଚରାଇଦେଓ ମୋଇଦାମ’ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ଅହୋମ ରାଜବଂଶର ଶତାବ୍ଦୀ ପୁରୁଣା ଶବ ଦାହ ବିଧି ଚରାଇଦେଓ ମୋଇଦାମକୁ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମଧ୍ୟ ମିଳିଛି। ଏହା ଉତ୍ତର-ପୂର୍ବର ପ୍ରଥମ ବିଶ୍ବ ଐତିହ୍ୟ ସ୍ଥଳ ପାଲଟିଛି। ଚରାଇଦେଓର ଅର୍ଥ ହେଉଛି ‘ପାହାଡ଼ ଉପରେ ଏକ ଉଜ୍ଜ୍ୱଳ ସହର’। ଏହା ଥିଲା ଅହୋମ ରାଜବଂଶର ପ୍ରଥମ ରାଜଧାନୀ। ଅହୋମ ରାଜବଂଶର ଲୋକମାନେ ପାରମ୍ପରିକ ଭାବରେ ନିଜ ପୂର୍ବପୁରୁଷଙ୍କ ଶରୀର ଏବଂ ସେମାନଙ୍କର ମୂଲ୍ୟବାନ ଜିନିଷ ‘ମୋଇଦାମ’ରେ ରଖୁଥିଲେ। ମୋଇଦାମ୍ ହେଉଛି ଏକ ପାହାଡ଼ିଆ ଢାଞ୍ଚା ଯାହାର ଉପରଭାଗ ମାଟି ଆଚ୍ଛାଦିତ ଏବଂ ତଳେ ଗୋଟିଏ କିମ୍ବା ଏକାଧିକ କୋଠରୀ ରହିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଜ ପୂର୍ବପୁରୁଷଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ଏହି ଉପାୟ ଅତ୍ୟନ୍ତ ଅନନ୍ୟ। ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଅହୋମ ସାମ୍ରାଜ୍ୟ ଉନବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ରହିଥିଲା ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ହରିୟାଣାର ରୋହତକ ଜିଲ୍ଲାରେ ୨୫୦ରୁ ଅଧିକ ମହିଳାଙ୍କ ଜୀବନରେ ସମୃଦ୍ଧି ଆଣିଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଫଳତା ସଂପର୍କରେ କହିଥିଲେ। ହସ୍ତତନ୍ତ ଶିଳ୍ପରେ ସାମିଲ ଥିବା ଏହି ଗୋଷ୍ଠୀର ମହିଳାମାନେ ପୂର୍ବରୁ ଛୋଟ ଛୋଟ ଦୋକାନ ପରିଚାଳନା କରି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ‘ଉନ୍ନତି’ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରୟାସ ଏହି ମହିଳାଙ୍କ ଜୀବନରେ କିଭଳି ବଡ଼ ପରିବର୍ତ୍ତନ ଆଣିଛି ଏବଂ ଏହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମରେ ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ାବିତ୍‌ମାନଙ୍କୁ ସମର୍ଥନ ଓ ପ୍ରୋତ୍ସାହିତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ୟାରିସ ଅଲିମ୍ପିକ୍ସକୁ ନେଇ ସାରା ବିଶ୍ୱ ଏବେ ଚର୍ଚ୍ଚା କରୁଛି। ଆମ କ୍ରୀଡ଼ାବିତ୍‌ଙ୍କ ପାଖରେ ଦେଶ ପାଇଁ କିଛି କରିବାର ସୁଯୋଗ ରହିଛି। ଆପଣମାନେ ସମସ୍ତେ ସେମାନଙ୍କୁ ଉତ୍ସାହିତ କରିବା ଦରକାର।