‘ମନ୍‌ କୀ ବାତ୍‌’: ଗାନ୍ଧୀଙ୍କ ତ୍ୟାଗକୁ ମନେ ପକାଇଲେ ମୋଦି, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପାଇଁ ଯବାନଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୪୮ତମ ସଂସ୍କରଣରେ ମୋଦି ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଆସୁଥିବା ବେଳେ ସେ ତାଙ୍କୁ ସ୍ମରଣ କରିଛନ୍ତି। ଏହା ସହିତ ସ୍ୱଚ୍ଛ ଭାରତ ମିସନ୍‌ରେ ସଫଳ ହୋଇଥିବା ଲୋକମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଏହା ବ୍ୟତୀତ ସେ ଆହୁରି ଅନେକ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି।

ମୋଦି କହିଛନ୍ତି କି ‘ଦେଶର ସୈନିକମାନେ ୨୦୧୬ ମସିହାରେ ସଜିର୍କାଲ୍‌ ଷ୍ଟ୍ରାଇକ୍‌ କରି ସାହସିକତା ପ୍ରଦର୍ଶନ କରିଛନ୍ତି। ଆମେ ଶାନ୍ତିରେ ବିଶ୍ୱାସ ରଖୁ। ମାତ୍ର ଦେଶର ସୁରକ୍ଷା ପାଇଁ ଆମ ସୈନିକମାନେ ହାତ ଯାକି ବସିବେ ନାହିଁ। ଦେଶ ସୁରକ୍ଷା ପାଇଁ ସେମାନେ କେବେ ବି ସାଲିସ୍‌ କରିବେ ନାହିଁ।’

‘ପ୍ରାକୃତିକ ବିପର୍ଯ୍ୟାୟ ସମୟରେ ଯେଉଁ ଭଳି ଭାବେ ଭାରତୀୟ ବାୟୁ ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୀଡ଼ିତମାନଙ୍କୁ ସାହାଯ୍ୟ କରିଛନ୍ତି ତାହା କେବେ ଭୁଲି ହେବ ନାହିଁ। ଏହା ବ୍ୟତୀତ ବାୟୁସେନାରେ ମହିଳା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ସମାନତାର ଜ୍ୱଳନ୍ତ ଉଦାହରଣ।’

ଶେଷରେ ମୋଦି ଜାତୀର ପିତା ମହାତ୍ମା ଗାନ୍ଧୀଙ୍କର ଦେଶ ପାଇଁ ତ୍ୟାଗ ଓ ବଡ଼ପଣିଆକୁ ମନେ ପକାଇ ତାଙ୍କରି ଆଦର୍ଶରେ ପରିଚାଳିତ ହେବା ପାଇଁ ଦେଶବାସୀଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର