ଜାପୋରିଝଜିଆ ପରମାଣୁ ଶକ୍ତି କେନ୍ଦ୍ର ପରିଦର୍ଶନ ପାଇଁ ଆଇଏଇଏକୁ ଅନୁମତି ଦେବ ରୁଷ୍

ମସ୍କୋ : ୟୁକ୍ରେନରେ ଥିବା ଜାପୋରିଝଜିଆ ପରମାଣୁ ଶକ୍ତି କେନ୍ଦ୍ରର ସୁରକ୍ଷାକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକାଶ ପାଇଥିବାବେଳେ ଶୁକ୍ରବାରଦିନ ଏକ ଆଶାର ଆଲୋକ ଦେଖାଦେଇଛି । ଏହି ପରମାଣୁ ଶକ୍ତି କେନ୍ଦ୍ରର ସୁରକ୍ଷା ତଦାରଖ ପାଇଁ ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି(ଆଇଏଇଏ)କୁ ଅନୁମତି ଦେବାକୁ ରୁଷ ରାଜି ହୋଇଛି । ଶୁକ୍ରବାରଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକାରନଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ଆଲୋଚନା ବେଳେ ଏ ନେଇ ପୁଟିନ ରାଜି ହୋଇଥିବା କୁହାଯାଉଛି । ରୁଷ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ ବି ଏନେଇ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ ଏହି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି ରୁଷ ଓ ୟୁକ୍ରେନ । ଅଗଷ୍ଟ ପ୍ରଥମ ସପ୍ତାହରେ ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ ଗ୍ରୋସି ଚେତାଇଦେଇଥିଲେ ଯେ ଜାପୋରିଝଜିଆ ପରମାଣୁ କେନ୍ଦ୍ର ଏବ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି ଓ ଏହା ନିୟନ୍ତ୍ରଣହୀନ ଅବସ୍ଥାକୁ ଚାଲିଯାଇଛି । ଏଠାରେ ଯେ ଆଣବିକ ନିରାପତ୍ତାର ସବୁ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏଣୁ ଆଗକୁ ଏହା ଏକ ବଡ଼ ତଥା ଭୟଙ୍କର ବିପଦରେ ପରିଣତ ହେବାକୁ ଯାଉଛି । କୌଣସି ପ୍ର​ଳୟଙ୍କରୀ ଅଘଟଣ ଘଟିବା ପୂର୍ବରୁ ଉଭୟ ୟୁକ୍ରେନ ଓ ରୁଷ ଜାତିସଂଘର ପରମାଣୁ ବିଶେଷଜ୍ଞମାନଙ୍କୁ ତାହାର ପରିଦର୍ଶନ ପାଇଁ ଅନୁମତି ଦେବାକୁ ସେ କହିଥିଲେ ।

 

ସମ୍ବନ୍ଧିତ ଖବର