ଲଦାଖରେ ଏହି ଅତ୍ୟାଧୁନିକ ଯୁଦ୍ଧ ଯାନ ମୁତୟନ କଲା ଭାରତୀୟ ସେନା

ନୂଆଦିଲ୍ଲୀ : ଲଦାଖରେ ଏକ ସ୍ବତନ୍ତ୍ର ପ୍ରକାରର ଯୁଦ୍ଧ ଯାନ ମୁତୟନ କରିଛି ଭାରତୀୟ ସେନା । ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧଯାନର ନାଁ ହେଉଛି ଇନଫ୍ରାଣ୍ଟ୍ରି ପ୍ରୋଟେକ୍ଟେଡ୍ ମୋବିଲିଟି ଭେହିକ୍ଲ (ଆଇପିଏମଭି) । ଏହାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ) ଓ ଟାଟା ଗ୍ରୁପ ପକ୍ଷରୁ ମିଳିତ ଭାବେ ନିର୍ମାଣ କରାଯାଇଛି ।

ଗତ ଏପ୍ରିଲ ମାସରେ ଏହି ଯୁଦ୍ଧଯାନ ଭାରତୀୟ ସେନାରେ ସାମିଲ ହୋଇଥିଲା । ନିକଟରେ ଏହାକୁ ଲଦାଖରେ ମୁତୟନ କରାଯାଇଛି । ଶୁକ୍ରବାରଦିନ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଏହାକୁ ଚଳାଇଥିଲେ ଓ ଏହାର ପ୍ରସଂଶା କରି କହିଥିଲେ ଯେ ଏହା ଦୁର୍ଗମ ପରିବେଶରେ ଚାଲିପାରିବ । ଏହି ଯୁଦ୍ଧଯାନର ବିଶେଷତ୍ବ ହେଉଛି ଏହା ଲଦାଖ ପରି ଦୁର୍ଗମ ଅଂଚଳକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି । ଏଥିରେ ଚଢିଥିବା ଜଣେ ସୈନିକ ୧୮୦୦ ମିଟର ଦୂରକୁ ଦେଖିପାରିବ । ଏଥିରେ ଲାଗିଥିବା ଅସ୍ତ୍ରକୁ ଭିତରେ ବସି ଚଳାଇହେବ ।

୨୦୨୦ ଜୁନରେ ହୋଇଥିବା ଗଲଓ୍ବାନ ସଂଘର୍ଷକୁ ଇତି ମଧ୍ୟରେ ୨ ବର୍ଷ ବିତିଯାଇଥିଲେ ବି ଲଦାଖର କେତେକ ଅଂଚଳରେ ଚୀନ ସେନା ମୁତୟନ ଅଛନ୍ତି । ସେମାନଙ୍କୁ ଦେଖି ଭାରତୀୟ ସେନା ବି ମୁତୟନ ରହିଛନ୍ତି । ଏହି ଯାନ ମୁତୟନ ହେବା ପରେ ଭାରତୀୟ ସୈନିକମାନଙ୍କୁ ପାଟ୍ରୋଲିଂ କରିବା ସହଜ ହେବ ।

ସମ୍ବନ୍ଧିତ ଖବର