ନୂଆଦିଲ୍ଲୀ :  ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) ଏବଂ ଗାମ୍ବିଆ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ତଦନ୍ତରୁ ଜଣାପଡିଛି ଯେ ଗାମ୍ବିଆରେ ଶିଶୁଙ୍କ ମୃତ୍ୟୁ ଏବଂ ଭାରତରେ ନିର୍ମିତ ଦୂଷିତ କଫ ସିରପ ସେବନ ମଧ୍ୟରେ ଏକ ସମ୍ପର୍କ ରହିଛି ।

Advertisment

ଗତ ଶୁକ୍ରବାର ଦିନ ପ୍ରକାଶିତ ସିଡିସି ରିପୋର୍ଟରେ କୁହାଯାଇଛି ଯେ ଏହି ତଦନ୍ତରୁ ଜଣାପଡ଼ିଛି ଯେ ଗାମ୍ବିଆ ପକ୍ଷରୁ ଆମଦାନୀ କରାଯାଇଥିବା ଔଷଧରେ ଡାଇଥିଲିନ୍ ଗ୍ଲାଇକୋଲ (ଡିଇଜି) କିମ୍ବା ଇଥିଲିନ୍ ଗ୍ଲାଇକୋଲ (ଇଜି) ଅପମିଶ୍ରିତ ହୋଇଥିଲା । ଏହା ଦ୍ବାରା ଶିଶୁମାନଙ୍କ କିଡନି ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଏଣୁ ଏହି ଔଷଧ ସହ ଶିଶୁମୃତ୍ୟୁର ସଂପର୍କ ରହିଛି ।

ଗତ ଅକ୍ଟୋବର ୨୦୨୨ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏକ ସତର୍କ ସୂଚନା ଜାରି କରି କହିଥିଲା ଯେ ଭାରତର କମ୍ପାନୀ ମେଡେନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଗାମ୍ବିଆକୁ ଯୋଗାଇ ଦିଆଯାଉଥିବା ଚାରି ପ୍ରକାର କଫ ସିରପ୍ ର ଗୁଣବତ୍ତା ଆଶାନୁରୂପ ନୁହେଁ। ହୁ ଦାବି କରିଥିଲା ଯେ ଏହି କପ୍ ସିରପ୍ ଗାମ୍ବିଆରେ ଶିଶୁଙ୍କ ମୃତ୍ୟୁ ସହିତ ଜଡ଼ିତ । ଏହା ପରେ ଭାରତରେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ଏହା ସହିତ ଗାମ୍ବିଆକୁ ରପ୍ତାନି ସିରପର ବ୍ଯାଚକୁ ଜବତ କରାଯାଇଥିଲା ।