ନୂଆଦିଲ୍ଲୀ : ବୈଷୟିକ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ପାଇଛି । ଦେଶରେ ପ୍ରଥମ ଥର ପାଇଁ ମ୍ୟାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ (ଏମଆରଆଇ) ମେସିନ ତିଆରି କରାଯାଇଛି । ବର୍ତ୍ତମାନ ଏହି ମେସିନକୁ ବିଦେଶରୁ ଆମଦାନୀ କରାଯାଉଛି ।
ସୂଚନା ଅନୁସାରେ, ଫିସର ମେଡିକାଲ୍ ଭେଞ୍ଚର୍ସ ଲିମିଟେଡ୍ (ଏଫଏମଭିଏଲ୍) ଭାରତରେ ପ୍ରଥମ ସ୍ୱଦେଶୀ ମ୍ୟାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ (ଏମଆରଆଇ) ସିଷ୍ଟମ୍ ନିର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ଐତିହାସିକ ସଫଳତା ଏଫଏମଭିଏଲ୍କୁ ଆମଦାନୀ ହୋଇଥିବା ଚିକିତ୍ସା ଉପକରଣ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହେବ । ଭାରତ ନିଜର ବିଭିନ୍ନ ମେଡିକାଲ ଯନ୍ତ୍ରପାତିର ପ୍ରାୟ ୮୦-୮୫% ବିଦେଶରୁ ଆମଦାନୀ କରିଥାଏ । ଏବାବଦରେ ଭାରତ ବର୍ଷକୁ ପ୍ରାୟ ୬୩୨୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ବ୍ୟୟ କରିଥାଏ ।
ଆସନ୍ତା ଅକ୍ଟୋବର ମାସରେ ଏମ୍ସ ଦିଲ୍ଲୀରେ ପ୍ରଥମ ଥର ପାଇଁ ସ୍ବଦେଶୀ ଏମଆରଆଇ ମେସିନ ସ୍ଥାପନ କରି ତାହାର ପରୀକ୍ଷଣ କରାଯିବ । ସ୍ବଦେଶୀ ଏମଆରଆଇ ମେସିନ ହେବା ପରେ ତାହା ଦ୍ବାରା ଦେଶରେ ଏମଆରଆଇ ଟେଷ୍ଟିଂ ବ୍ୟୟ କମିବ ଓ ରୋଗୀମାନେ ଉପକୃତ ହେବେ ।