ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକଙ୍କ ବିରୋଧରେ ମାମଲା

ଧର: ଜଣେ ୩୮ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଏବଂ ଆକ୍ରମଣ କରିବା ଅଭିଯୋଗରେ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଙ୍ଗରଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି।

ରବିବାର ସନ୍ଧ୍ୟାରେ ଧର ସହରର ନୂଆଗାଓଁ ପୁଲିସ ଷ୍ଟେସନରେ ମହିଳାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି ବୋଲି ସୋମବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମହିଳା ଜଣକ ଅଭିଯୋଗ କରି କହିଛନ୍ତିି ଯେ ସେ ଅଭିଯୁକ୍ତଙ୍କ ସହ ତାଙ୍କ ‘ପତ୍ନୀ’ ଭାବରେ ରହୁଥିଲେ। ତେବେ, ସେ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଧର ଆରକ୍ଷୀ ଅଧୀକ୍ଷକ (ଏସପି) ଆଦିତ୍ୟ ପ୍ରତାପ ସିଂ କହିଛନ୍ତି।

ଅନ୍ୟପକ୍ଷରେ ଏହା ଏକ ଷଡଯନ୍ତ୍ର ଏବଂ ଘୃଣ୍ୟ ରାଜନୀତିର ଏକ ଅଂଶ। ମହିଳା କରିଥିବା ଅଭିଯୋଗ ଆମର ବ୍ୟକ୍ତିଗତ ବ୍ୟାପାର ଏବଂ କେବଳ ସେ ହିଁ କହିପାରିବେ ଯେ ଏ ଅଭିଯୋଗ ପଛରେ କ’ଣ ଉଦ୍ଦେଶ୍ୟ ଅଛି? ସେ ମୋତେ ମାନସିକ ସ୍ତରରେ ହଇରାଣ କରୁଥିଲେ କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ମୁଁ ଅଦାଲତରେ ମୋର ମତ ରଖିବି ବୋଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଙ୍ଗର ଗଣମାଧ୍ୟମକୁ କହିଛନ୍ତି।

ଏସପି ସିଂ କହିଛନ୍ତି ଯେ ମହିଳା ଜଣକ ଅଭିଯୁକ୍ତଙ୍କ ବିରୋଧରେ ଶାରୀରିକ ନିର୍ଯାତନା, ଦୁଷ୍କର୍ମ, ଦୁର୍ବ୍ୟବହାର, ଅପ୍ରାକୃତିକ ଯୌନକ୍ରିୟା ଏବଂ ତାଙ୍କୁ ହତ୍ୟା ଧମକ ଦେବା ବିଷୟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୪, ୩୨୩, ୩୭୬(୨), ୩୭୭, ୪୯୮(ଏ), ଏବଂ ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର