ସଙ୍କଟରେ ମଧ୍ୟପ୍ରଦେଶର କମଲନାଥ ସରକାର, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ବେଙ୍ଗାଲୁରୁରେ ୧୭ କଂଗ୍ରେସ ବିଧାୟକ

ଭୋପାଳ: ସୋମବାର ମଧ୍ୟରାତ୍ରରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବାସଭବନରେ ଏକ ବୈଠକ ପରେ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଫଳରେ ସଙ୍କଟ ଭିତରକୁ ଠେଲି ହୋଇ ଯାଇଛି ମଧ୍ୟପ୍ରଦେଶର କମଲନାଥ ସରକାର। କାରଣ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ଥିବା ୬ଜଣ ମନ୍ତ୍ରୀଙ୍କ ସମେତ ୧୭ ଜଣ ବିଧାୟକ ବେଙ୍ଗାଲୁରୁରେ ଚାଲି ଯାଇଥିବା ସୂଚନା ମିଳିଛି । କଂଗ୍ରେସରେ ଦଳୀୟ କନ୍ଦଳ ଏପରି ରହିଛି ଯେ, ଭବିଷ୍ୟତରେ ଅଧିକ ବିଧାୟକ ସିନ୍ଧିଆଙ୍କୁ ସମର୍ଥନ ଦେବେ ବୋଲି କୁହାଯାଇଛି । ଏପଟେ ବିଜେପି ପକ୍ଷରୁ କୁହାଯାଇଛି ଯେ, କମଲନାଥଙ୍କ ସରକାର ଭାଙ୍ଗିବା ନିଶ୍ଚିତ ଏବଂ ଏହି ସରକାର ଭାଙ୍ଗିଲେ ତାଙ୍କ ଦଳ ସରକାର ଗଢ଼ିବାକୁ ଦାବି କରିବ ।

image source-oneindia

ଏଣେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ କୁହାଯାଉଛି ମୋଦୀ ସରକାରରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନ୍ତ୍ରୀ ପଦ ଦିଆଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବି ଭେଟିପାରନ୍ତି। ଆଉ କିଛି ସମୟ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବେ ବୋଲି  ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଥିଲେ ହେଲେ, ତାହା ଫଳବତୀ ହୋଇପାରିଲା ନାହିଁ । ଏଆଇସିସି ଅନୁମୋଦନ କ୍ରମେ ମଧ୍ୟପ୍ରଦେଶରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହାକୁ ନେଇ ସେ  ଅସନ୍ତୋଷ ଜାହିର କରିଥିଲେ। ଏଣେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଝିରେ ମଝିରେ ଟୁଇଟ୍ କରି କଂଗ୍ରେସ ଛାଡ଼ିବାର ବି ସଙ୍କେତ ଦେଇଛନ୍ତି।

ସମ୍ବନ୍ଧିତ ଖବର