ଭୋପାଳ/ ନୂଆଦିଲ୍ଲୀ: ସୋନିଆ- ରାଜୀବ ତନୟା ତଥା କଂଗ୍ରେସର ଅନ୍ୟତମ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କ’ଣ ଆଉ ରାଜ୍ୟସଭାକୁ ଯିବେ କି? ଏହି ପ୍ରଶ୍ନକୁ କେନ୍ଦ୍ର କରି ଦେଶର ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। ଅନ୍ୟପକ୍ଷରେ ଏହି ଆଲୋଚନା ସଂପୂର୍ଣ୍ଣ ରୂପେ ନିରାଧାର ନହୋଇ ଆଧାର ଯୁକ୍ତ ହୋଇଥିବାରୁ ଏବେ ଏହି ପ୍ରଶ୍ନକୁ କେନ୍ଦ୍ରକରି ତମାମ ଦେଶରେ ଚର୍ଚ୍ଚା ଚାଲିଛି।

Advertisment

ଉଲ୍ଲେଖଯୋଗ୍ୟ, ଏବେ ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ରହିଛି। ଆଉ ମଧ୍ୟପ୍ରଦେଶର ରାଜ୍ୟସଭାରେ ରହିଥିବା ତିନିଟି ଆସନର କାର୍ଯ୍ୟକାଳ ଆସନ୍ତା ଅପ୍ରେଲ ମାସରେ ଶେଷ ହେଉଛି। ଆଉ ଏହି ତିନିଟି ଆସନ ମଧ୍ୟରୁ ଗୋଟିଏ ଆସନ ମଧ୍ୟରୁ ଗୋଟିଏରେ କଂଗ୍ରେସର ଦିଗ୍ଗଜ ତଥା ଭେଟେରାନ୍‌ ନେତା ଦିଗ୍‌ବିଜୟ ସିଂହ ପ୍ରତିନିଧିତ୍ୱ କରୁଥିବା ବେଳେ ଅନ୍ୟ ଦୁଇଟି ଆସନରୁ ବିଜେପି ସାଂସଦମାନେ ପ୍ରତିନିଧିତ୍ୱ କରୁଛନ୍ତି।

ତେବେ, ଚଳିତ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସର ସଂଖ୍ୟାବଳ ଯାହା ସେଥିରେ କଂଗ୍ରେସ ମଧ୍ୟପ୍ରଦେଶରୁ ଚଳିତ ରାଜ୍ୟସଭା ନିର୍ବାଚନରେ ନିଜର ଦୁଇଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇବା ପ୍ରାୟ ଏକ ପ୍ରକାର ନିଶ୍ଚିତ। ତେଣୁ, ଏହାକୁ ଦୃଷ୍ଟିରେ ରଖି ସୋନିଆ- ରାଜୀବ ତନୟା ତଥା କଂଗ୍ରେସର ଅନ୍ୟତମ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜ୍ୟସଭାକୁ ପଠାଇବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇ ଯାଇଛି। ଏବଂ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଯାଦବଙ୍କ ସମେତ ବର୍ତ୍ତମାନର ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ସଜ୍ଜନ ସିଂହ ବର୍ମା, ପି ସି ଶର୍ମା ଓ ଜୟବର୍ଦ୍ଧନ ସିଂହ ପ୍ରମୁଖ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଉପରେ ଚାପ ପ୍ରୟୋଗ କରି କଂଗ୍ରେସର ଅନ୍ୟତମ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ କରିବା ପାଇଁ ଦାବି କରିବା ସହ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରୁ କେବଳ ପ୍ରିୟଙ୍କା ହିଁ ଦଳକୁ ସଙ୍କଟ ମଧ୍ୟରୁ ଉଦ୍ଧାର କରିପାରିବେ ବୋଲି କହିଛନ୍ତି।