ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବେଆଇନ ମଦ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି। ବେଆଇନ ମଦ ବ୍ୟବସାୟକୁ ବନ୍ଦ କରିବାକୁ ଯେତେ ଚେଷ୍ଟା କରାଯାଉଥିଲେ ହେଁ ଏହା ଅସଫଳ ହେଉଛି। କିଛିଦିନ ତଳେ ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ବିଶାକ୍ତ ମଦ ପିଇ ୨୪ଜଣ ଲୋକଙ୍କ ମୃତ୍ୟୁ ହେବା ଘଟଣା ଥମି ନଥିବା ବେଳେ ଦତିୟା ଜିଲ୍ଲାରେ ନକଲି ମଦ ସହିତ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି।
ଘଟଣା ଟି ଦତିୟା ଜିଲ୍ଲାର ଇନ୍ଦରଗଢ଼ ଥାନା ଅଧୀନସ୍ଥ ଏକ ଗ୍ରାମରେ ଘଟିଛି। ଏଠାରେ ଗୋଟିଏ ଗ୍ରାମର ୫ଟି ଗାଈର ମୃତ୍ୟୁ ମଦ ପିଇଥିବା ହେତୁ ହୋଇଥିବା ଜଣାପଡ଼ିଛି। ଏହାକୁ ଗ୍ରାମବାସୀ ପୁଲିସ ବିଭାଗର ବଡ଼ ଅବହେଳା ବୋଲି କହିଛନ୍ତି।
ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି କି, କିଛିଦିନ ପୂର୍ବରୁ ଅବକାରୀ ବିଭାଗ ଓ ପୁଲିସ ଏକ ବେଆଇନ ମଦ ତିଆରି କରୁଥିବା ଭାଟି ଉପରେ ଚଢ଼ାଉ କରିଥିଲେ।
ଏହି ଚଢ଼ାଉ ସମୟରେ ବହୁମାତ୍ରାରେ ନକଲି ମଦ ପୁଲିସ ହାତରେ ଲାଗିଥିଲା। ଏହାପରେ ମଦ ଭାଟି ଭଙ୍ଗାଯାଇ କଞ୍ଚା ମଦ ସହିତ ଗୁଡ ପାଣିକୁ ବୁହାଇ ଦିଆଯାଇଥିଲା। ଏହାକୁ ଗ୍ରାମର ଗାଈ ପିଇଥିଲେ। ଏହି ମଦ ପିଇବା ହେତୁ କିଛିଦିନ ପରେ ଗୋଟିଏ ପରେ ଗୋଟିଏ ଏପରି ୫ଟି ଗାଈର ସ୍ବାସ୍ଥ୍ୟ ଖରାପ ହେବା ସହିତ ମୃତ୍ୟୁ ହୋଇଯାଇଥିଲା।
ମୃତ ଗାଈଗୁଡ଼ିକର ବାସ୍ତବରେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜାଣିବା ପାଇଁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ଯାଞ୍ଚ କରୁଛି।