ସାନଭାଇର ଶବକୁ କୋଳରେ ଧରି ବଡ଼ଭାଇ ବସିବା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ମଧ୍ୟପ୍ରଦେଶ ସରକାର

ଭୋପାଳ : ମଧ୍ୟପ୍ରଦେଶରେ ଘଟିଛି ଏପରି ଏକ ଘଟଣା, ଯାହାକି ସମଗ୍ର ତଥାକଥିତ ସଭ୍ୟ ସମାଜ ଉପରେ ଅଙ୍ଗୁଳି ଉଠାଇବାକୁ ବାଧ୍ୟ କରିଛି । ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ୮ ବର୍ଷର ବାଳକ ନିଜ କୋଳର ନିଜ ୨ ବର୍ଷର ମୃତ ଭାଇର ଶବ ଧରି ବସିରହିଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚାରିଆଡୁ ସମବେଦନାର ସ୍ବର ଶୁଣିବାକୁ ମିଳିଛି । ଏହି ଘଟଣାକୁ ନେଇ ଚାରିଆଡୁ ବିରୋଧ ହେବା ପରେ  ମଧ୍ୟପ୍ରଦେଶ ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହା ସହିତ ମୋରେନା ସିଭିଲ ସର୍ଜନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

 

ଘଟଣାଟି ଘଟିଛି ମଧ୍ୟପ୍ରଦେଶର ମୋରେନାଠାରେ । ପୁଜାରାମ ଜାଟବଙ୍କ ୨ ବର୍ଷର ପୁଅ ହଠାତ ଖରାପ ହେବାରୁ ତାକୁ ସେ ମୋରେନା ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । ଜାଟବଙ୍କ ସହିତ ତାଙ୍କ ବଡ଼ ପୁଅ ଗୁଲସନ ବି ଡାକ୍ତରଖାନାକୁ ଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାଜାର ମୃତ୍ୟୁ ହୋଇଥିଲା । ମୃତ୍ୟୁପରେ ପୁଜାରାମ ନିଜର ପୁଅର ମୃତଦେହକୁ ନିଜ ଗାଁ ବଦଫ୍ରାକୁ ନେବାକୁ ଚାହିଁଥିଲେ ଓ ଏକ ଆମ୍ବୁଲାନ୍ସର ବନ୍ଦବୋସ୍ତ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ତେବେ ତାଙ୍କ ଅନୁରୋଧକୁ ଡାକ୍ତରଖାନା ପକ୍ଷରୁ ଅଗ୍ରାହ୍ୟ କରିଦିଆଯାଇଥିଲା । କିନ୍ତୁ ଏକ ଗାଡ଼ି ଭଡ଼ା କରି ନିଜ ପୁଅକୁ ଗାଁକୁ ନେବାକୁ ପୁଜାରାମଙ୍କ ପାଖରେ ଟଙ୍କା ନଥିବାରୁ ସେ ଗୁଲସନ କୋଳରେ ନିଜର ମୃତ ସାନ ପୁଅକୁ ଶୁଆଇ ସହାୟତା ପାଇଁ ଆଖପାଖରେ ଥିବା ଗାଡ଼ିମାନଙ୍କୁ ଆକୁଳ ନିବେଦନ କରିଥିଲେ । ଅନ୍ୟପଟେ ଗୁଲସନ ଡାକ୍ତରଖାନା ବାହାରେ ରାସ୍ତାକଡ଼ରେ ନିଜ କୋଳରେ ନିଜ ଗେହ୍ଲା ସାନ ଭାଇର ଶବକୁ ଧରି ବସି ରହିଥିଲା ।

ଏହି ଘଟଣା ସ୍ଥାନୀୟ ଲୋକେ ପୁଲିସକୁ ଜଣାଇବା ପରେ ପୁଲିସ ଆସି ସେମାନଙ୍କୁ ଘରକୁ ପଠାଇବାର ବନ୍ଦବୋସ୍ତ କରିଥିଲା ।

ସମ୍ବନ୍ଧିତ ଖବର