ମୋରେନା: ଆମ୍ବୁଲାନ୍ ନ ମିଳିବାରୁ ଶନିବାର ଦିନ ମଧ୍ୟପ୍ରଦେଶର ମୋରେନାର ରାସ୍ତାକଡ଼ରେ ଜଣେ ୮ ବର୍ଷର ବାଳକ ତା’ର ୨ ବର୍ଷର ସାନଭାଇ ଶବକୁ କୋଳରେ ଧରି ବସିରହିଥିଲା। ତେଣେ, ମୃତ ପୁଅର ଶବକୁ ଘରକୁ ନେବା ପାଇଁ ସେମାନଙ୍କ ବାପା ପୂଜାରାମ ଜାତବ ବ୍ୟାକୁଳ ହୋଇ ଆମ୍ବୁଲାନ୍ସ୍ ଖୋଜୁଥିଲେ।
ପିଲାଟି ଶବକୁ କୋଳରେ ଥୋଇ ବସିଥିବା ଦେଖି ଘଟଣାସ୍ଥଳରେ ବହୁସଂଖ୍ୟକ ଲୋକ ରୁଣ୍ଡ ହେବା ସହ ସେ ସଂକ୍ରାନ୍ତରେ ସରକାରୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଆମ୍ବା ଅନ୍ତର୍ଗତ ବଦଫ୍ରା ଗାଁ’ର। ସେ ଗାଁ’ର ପୂଜାରାମ ଜାତବଙ୍କ ୨ ବର୍ଷିୟ ପୁଅ ରାଜା ହଠାତ୍ ଅସୁସ୍ଥ ହୋଇଗଲା। ପୁଅକୁ ଘରେ ଆରୋଗ୍ୟ କରିବାକୁ ପ୍ରଥମେ ଜାତଭ ଉଦ୍ୟମ କରିଥିଲେ, କିନ୍ତୁ ରାଜାର ପେଟ ବିନ୍ଧା ଅସହ୍ୟ ହେବାରୁ ସେ ତାକୁ ମୋରେନା ଜିଲ୍ଲା ହସ୍ପିଟାଲ୍କୁ ନେଇଥିଲେ। ସାଙ୍ଗରେ ବଡ଼ପୁଅ ଗୁଲ୍ଶନ୍ ବି ଯାଇଥିଲା। ମାତ୍ର ଡାକ୍ତରଖାନାରେ ରାଜାର ମୃତ୍ୟୁ ହୋଇଗଲା। ରାଜାର ଶବକୁ ଗାଁ’କୁ ନେବା ପାଇଁ ଆମ୍ବୁଲାନ୍ସ୍ ବ୍ୟବସ୍ଥା କରିବା ଲାଗି ଗରିବ ଓ ଅସହାୟ ପୂଜାରାମ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କଲେ ବି ତାଙ୍କ କଥା କେହି ଶୁଣିଲେ ନାହିଁ।
/sambad/media/post_attachments/wp-content/uploads/2022/07/father.jpg)
ତେଣୁ, ସେ ପୁଅର ଶବକୁ ନେଇ ଡାକ୍ତରଖାନାରୁ ବାହାରି ଆସି ରାସ୍ତାକଡ଼ରେ ବସିଲେ। ସେଠାରେ ମଧ୍ୟ ଶବ ନେବା ପାଇଁ ତାଙ୍କୁ ଗାଡ଼ିଟିଏ ମିଳିଲା। ଯାହା ମିଳିଲା ସେମାନେ ଏତେ ଟଙ୍କା କହିଲେ ଯେ, ପୂଜାରାମ ତାହା ଦେବାକୁ ସମର୍ଥ ନ ଥିଲେ।
ନିରୂପାୟ ପୂଜାରାମ ଏଥର ସାନପୁଅ ଶବକୁ ବଡ଼ପୁଅ ଜିମାରେ ଦେଇ ଘରକୁ ଫେରିବା ପାଇଁ କମ୍ ଭଡ଼ା ନେଉଥିବା ଗାଡ଼ି ଖୋଜିବାକୁ ଗଲେ। ବାପାଙ୍କ ଫେରିବା ବାଟକୁ ଚାହିଁ ଗୁଲ୍ସନ୍ ଅଧଘଣ୍ଟାଏ କାଳ ସାନଭାଇର ଶବକୁ ଧରି ସେମିତି ରାସ୍ତାକଡ଼ରେ ବସିରହିଲା। ଲୋକମାନଙ୍କଠାରୁ ଖବର ପାଇବା ପରେ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ୍ଟିଏ ଯୋଗାଡ଼ କରିଦେଲେ।
ଏ ସଂକ୍ରାନ୍ତରେ ପଚରା ଯିବାରୁ ମୋରେନା ସିଭିଲ୍ ସର୍ଜନ୍ କହନ୍ତି, ଆମେ ଆମ୍ବୁଲାନ୍ସ୍ ବ୍ୟବସ୍ଥା କରିଥିଲୁ। କିନ୍ତୁ, ଆମ୍ବୁଲାନ୍ସ୍ ଆସିବା ଆଗରୁ ବାପପୁଅ ଚାଲିଯାଇଥିଲେ।