ଭୋପାଳ: ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହେବ। କଂଗ୍ରେସ ଓ ବିଜେପିଠାରୁ ଆରମ୍ଭ କରି ପ୍ରାୟ ସବୁଦଳ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ମହିଳାଙ୍କୁ ପ୍ରାର୍ଥୀ କରିବା ପ୍ରତି ସେତେଟା ଧ୍ୟାନ ଦେଇନାହାନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ନିକଟ ଅତୀତରେ ଗୃହୀତ ହୋଇଛି। ମହିଳାଙ୍କୁ ଏକ ତୃତୀୟାଂଶ ଆସନ ଦେବାଲାଗି ଏଥିରେ ବ୍ୟବସ୍ଥା ରହିଛି। ଯଦିଓ ଏହାକୁ ଏବେ କାର୍ଯ୍ୟକାରୀ କରାଯାଇ ନାହିଁ ତଥାପି ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପକ୍ଷରୁ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି।

Advertisment

ମଧ୍ୟପ୍ରଦେଶରେ ମୋଟ ୨୩୦ ଆସନ ମଧ୍ୟରୁ ଅତିକମ୍‌ରେ ୧୦୦ ଆସନରେ ଜଣେ ହେଲେ ବି ମହିଳା ପ୍ରାର୍ଥୀ ନାହାନ୍ତି। ମହିଳା ପ୍ରାର୍ଥୀଙ୍କ ଭାଗ ମାତ୍ର ୧୦ ଶତାଂଶ ରହିଛି। ରାଜ୍ୟରେ ବିଧାନସଭା ନିର୍ବାଚନରେ ମୋଟ ୨୫୩୨ ଜଣ ପୁରୁଷ ପ୍ରାର୍ଥୀ ଲଢ଼ୁଥିବାବେଳେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ମାତ୍ର ୨୫୨ରେ ସୀମିତ ରହିଛି। ବିଜେପି ୨୫ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ୩୦ ଜଣ ମହିଳାଙ୍କୁ ପାର୍ଥୀ କରିଛି। କିନ୍ତୁ ରାଜ୍ୟରେ ମୋଟ ୫.୬୦ କୋଟି ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨.୭୨ କୋଟି ରହିଛି। ରାଜ୍ୟରେ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମହିଳା ଭୋଟରଙ୍କୁ ଖୁସି କରିବାକୁ ବିଜେପି ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଘୋଷଣା କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏଠାରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଉପରେ ନିର୍ଭର କରୁଛି। ଏଥିସହିତ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ମାସିକ ୧୫୦୦ ଟଙ୍କାର ଭତ୍ତା ନାରୀ ସମ୍ମାନ ନିଧି ଆକାରରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। ଏହା ‌ସ‌ତ୍ତ୍ବେ ରାଜନୈତିକ ଦଳଗୁଡ଼ିକ ମହିଳାଙ୍କୁ ପ୍ରାର୍ଥୀ ନକରିବା ଚିନ୍ତାର ବିଷୟ ପାଲଟିଛି।