ଲାଲ୍‌ ଭେଣ୍ଡି ବଦଳାଇ ଦେଲା ଚାଷୀଙ୍କ ଭାଗ୍ୟ; କିଲୋପିଛା ୮୦୦ ଟଙ୍କାରେ ବିକି ହେଲେ ମାଲାମାଲ୍‌

ନୂଆଦିଲ୍ଲୀ: ଏକ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟପ୍ରଦ ପରିବା ରୂପେ ବିବେଚିତ ଭେଣ୍ଡି ପାରମ୍ପରିକ ଭାବରେ ସବୁଜ ରଙ୍ଗରେ ଉପଲବ୍ଧ ହୋଇଥାଏ। ତେବେ, ମଧ୍ୟପ୍ରଦେଶର ଜନୈକ ପରିବା ଚାଷୀ ତାଙ୍କ କ୍ଷେତରେ ଏକ ନୂତନ କିସମର ଲାଲ୍‌ ରଙ୍ଗର ଭେଣ୍ଡି ଅମଳ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଖାଲି ଏତିକି ନୁହେଁ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭରପୂର ମାତ୍ରାରେ ଭିଟାମିନ୍‌ ରହିଥିବା ଏହି ଲାଲ ଭେଣ୍ଡିକୁ କିଲୋଗ୍ରାମ ପିଛା ୮୦୦ ଟଙ୍କାରେ ବିକ୍ରୟ କରି ସେ ମାଲାମାଲ ହୋଇଛନ୍ତି।

ରିପୋର୍ଟରୁ ପ୍ରକାଶ, ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାର ଖଜୁରୀକାଲାନ ଅଞ୍ଚଳର ଜଣେ ପରିବା ଚାଷୀ ମିସ୍ରିଲାଲ ରାଜପୁତ ତାଙ୍କ କ୍ଷେତରେ ଲାଲ ରଙ୍ଗର ଭେଣ୍ଡି ଅମଳ କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ନିଜ କ୍ଷେତରେ ଅମଳ କରିଥିବା ଲାଲ ଭେଣ୍ଡି ସମ୍ପର୍କରେ ପରିବା ଚାଷୀ ମିସ୍ରିଲାଲ କହିଛନ୍ତି, ‘ମୁଁ ଯେଉଁ ଭେଣ୍ଡି ଚାଷ କରୁଛି, ଏହା ସାଧାରଣ ସବୁଜ ରଙ୍ଗ ବଦଳରେ ନାଲି ରଙ୍ଗର ଅଟେ। ସବୁଜ ଭେଣ୍ଡି ଅପେକ୍ଷା ଏହା ଶରୀର ପାଇଁ ଅଧିକ ଲାଭଦାୟକ ଏବଂ ଅଧିକ ମାତ୍ରାରେ ପୁଷ୍ଟିକର। ହୃଦୟ ଏବଂ ରକ୍ତଚାପ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ’ ବୋଲି ସେ କହିଛନ୍ତି।

ଏହି ଲାଲ ଭେଣ୍ଡିର ଚାଷ ପ୍ରକ୍ରିୟା ସଂପର୍କରେ ସେ କହଛନ୍ତି, ‘ମୁଁ ବାରାଣାସୀର ଏକ କୃଷି ଗବେଷଣା ଓ ଅନୁସନ୍ଧାନ ପ୍ରତିଷ୍ଠାନରୁ ଏହି ଭେଣ୍ଡିର ମଞ୍ଜି କିଣି ଆଣିଥିଲି। ଜୁଲାଇ ପ୍ରଥମ ସପ୍ତାହରେ ମୁଁ ମଞ୍ଜିଗୁଡ଼ିକୁ ବୁଣିଥିଲି। ପ୍ରାୟ ୪୦ ଦିନ ମଧ୍ୟରେ ଭେଣ୍ଡି ଗଛଗୁଡ଼ିକ ଉଠି ବଢ଼ିବାରେ ଲାଗିଥିଲା। ଏବଂ ଏଥିରେ ଫଳ ଧରିଥିଲା।

ମିସ୍ରିଲାଲଙ୍କ ଅନୁଯାୟୀ, ଲାଲ୍‌ ଭେଣ୍ଡିର ଚାଷ ସମୟରେ କୌଣସି ପ୍ରକାରର କ୍ଷତିକାରକ କୀଟନାଶକ ବ୍ୟବହାର କରାଯାଇ ନଥିଲା। ସେ କହିଛନ୍ତି ଯେ ଏକ ଏକର ଜମିରେ ସର୍ବନିମ୍ନ ୪୦-୫୦ କ୍ୱିଣ୍ଟାଲ ଏବଂ ସର୍ବାଧିକ ୭୦-୮୦ କ୍ୱିଣ୍ଟାଲ ଲାଲ ଭେଣ୍ଡି ଚାଷ କରାଯାଇପାରିବ।

ସମ୍ବନ୍ଧିତ ଖବର