ନୂଆ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଯିବା ପରେ ଜର୍ମାନୀରେ ଆହୁରି ୪ ସପ୍ତାହ ପାଇଁ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦେଖି ଜର୍ମାନୀରେ ବଢ଼ିଲା ଲକଡାଉନ୍ । ନୂଆ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଆହୁରି ୪ ସପ୍ତାହ ପାଇଁ ଲକଡାଉନକୁ ବଢ଼ାଇ ଦିଆଯାଇଛି । ଫଳରେ ଆଗାମୀ ଏପ୍ରିଲ୍ ୧୮ ତାରିଖ ଯାଏ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନସେଲର ଆଂଜେଲା ମର୍କେଲ । ଏଥିସହ ଲକଡାଉନ ନିୟମକୁ ମଧ୍ୟ କଡା କରିବାକୁ ଚିନ୍ତା କରୁଛନ୍ତି ଜର୍ମାନୀ ସରକାର ।


ଫଳରେ ମାର୍ଚ୍ଚ ଶେଷ ସପ୍ତାହରେ ପାଳନ ହେଉଥିବା ଇଷ୍ଟର ଛୁଟିରେ ଲୋକଙ୍କୁ ୫ ଦିନ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ବାହାରୁ ଜର୍ମାନୀକୁ ଫେରୁଥିବା ଲୋକଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ କୁହାଯାଇପାରେ । ପ୍ରତି ଲକ୍ଷେ ଲୋକରେ ୧୦୦ ଜଣ କରୋନା ସଂକ୍ରମିତ ହେଉଥିବା ଅଂଚଳରେ ଲକଡାଉନ କଟକଣାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୬ଟି ରାଜ୍ୟର ଗଭର୍ଣ୍ଣରଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିବା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ଚାନସେଲର ମର୍କେଲ । ପୂର୍ବରୁ ମାର୍ଚ୍ଚ ୨୮ ଯାଏ ଲକଡାଉନ ଘୋଷଣା ହୋଇଥିଲା ।

ସମ୍ବନ୍ଧିତ ଖବର