ସାଗର: କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଦେଶ ସେମାନଙ୍କୁ ସଲାମ କରୁଛି | କରୋନା ଭଳି ମହାମାରୀ ସମୟରେ ସଂକ୍ରମଣକୁ ହ୍ରାସ  କରିବା ପାଇଁ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଥିବା ବେଳେ ନିଜ ଜୀବନର ବାଜି ଲଗାଇ କରୋନା ସହ ଲଢେଇ କରିବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା | ତେବେ ସେମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଦେଶର କିଛି ସ୍ଥାନରେ ସେମାନଙ୍କୁ ସେତିକି ସମ୍ମାନ ମିଳୁ ନଥିବା ଦେଖିବାକୁ ମିଳୁଛି | ପୂର୍ବରୁ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରାଯାଉଥିବା ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି |

Advertisment

ଗରମ ସହି ନପାରି ଜଣେ ସ୍ୱାସ୍ଥ୍ୟକର୍ମୀ ଅଚେତ ହୋଇପଡିବା ପରେ ତାଙ୍କୁ କେହି ସାହାଯ୍ୟରେ ହାତ ବଢ଼ାଇ ନଥିବା ଭଳି ଅମାନବୀୟ କାର୍ଯ୍ୟଧାରା ସାମ୍ନାକୁ ଆସିଛି  | ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଏକ ବଡ ଡାକ୍ତରଖାନା ଆଗରେ ହିଁ ଅଚେତ ହୋଇ ଟଳି ପଡ଼ିଥିଲେ | ତାଙ୍କ ଅବସ୍ଥା ଦେଖି ମଧ୍ୟ ଡାକ୍ତରଖାନାର ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିଦେଇଥିଲେ | ପ୍ରାୟ ଅଧା ଘଣ୍ଟା ପରେ ଅନ୍ୟ ଡାକ୍ତରଖାନାକୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିବା ଜଣାପଡିଛି |

Madhya Pradesh Health Worker Collapses In Heat, No Help For 25 Minutes ndtv

ସୂଚନା ମୁତାବକ, ୧୦୮ଆମ୍ବୁଲାନ୍ସର ଚାଳକ ହୀରାଲାଲ ପ୍ରଜାପତି ବୁଧବାର ଟିବି ଡାକ୍ତରଖାନାରୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ଜଣେ କରୋନା ରୋଗୀଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଆଣିଥିଲେ | ଏହି ସମୟରେ ସେ ପିପିଇ କିଟ ପିନ୍ଧି ଥିବାରୁ ଖରା ତାପ ସହି ନପାରି ଅଚେତ ହୋଇଯାଇଥିଲେ | ତାଙ୍କ ସହ ଥିବା ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ହୀରାଲାଲଙ୍କୁ ଭର୍ତ୍ତି କରିବା ପାଇଁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ନିବେଦନ କରିଥିଲେ ମଧ୍ୟ ଡାକ୍ତର ଭର୍ତ୍ତି କରାଇବା ପାଇଁ ମନା କରି ଦେଇଥିଲେ | ଦୀର୍ଘ ୨୫ମିନିଟ ପର୍ଯ୍ୟନ୍ତ ୪୪ଡିଗ୍ରି ଖରାରେ ବାହାରେ ପଡି ରହିବା ପରେ ପାରାମେଡିକାଲ୍ କର୍ମଚାରୀ ତାଙ୍କୁ ତାଙ୍କ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ | ସେଠାରେ ତାଙ୍କର ଚିକିତ୍ସା ହେବା ପରେ ଏବେ ସେ ସୁସ୍ଥ ଥିବା ଜଣା ପଡିଛି |