ଭୋପାଳ : ମଧ୍ୟ ପ୍ରଦେଶରେ ଏକ ବଡ଼ ଧରଣର ଯୌନ କେଳେଙ୍କାରୀ ଧରାପଡ଼ିଛି। ଏହି କେଳେଙ୍କାରୀରେ ୧୨/୧୩ ଜଣ ଆଇଏଏସ୍ ଅଫିସର ଏବଂ ୧୫/୨୦ ଜଣ ‌ରାଜନେତା ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ୮ ଜଣ ପୂର୍ବତନ ମନ୍ତ୍ରୀ। ଏକ ୫ ଜଣିଆ ଯୁବତୀ ରାକେଟ୍ ଏହି ନେତା ଓ ଅଫିସରମାନଙ୍କୁ ଟାର୍ଗେଟ କରିଥିଲେ। ଯୌନ କର୍ମୀ ଏବଂ ଛାତ୍ରୀମାନଙ୍କୁ ବ୍ୟବହାର କରି ସେମାନେ ଏହି ମନ୍ତ୍ରୀ ଓ ଅଫିସରମାନଙ୍କ ଠାରୁ ବିଭିନ୍ନ ସଂସ୍ଥା ଲାଗି ଶହ ଶହ କୋଟି ଟଙ୍କାର ଠିକା କାମ ହାସଲ କରୁଥିଲେ। ସମସ୍ତ ୫ ଜଣଯାକ ଯୁବତୀ ଗିରଫ ହେବା ପରେ ଦେଶର ସବୁଠାରୁ ବଡ଼ ବୋଲି କୁହାଯାଉଥିବା ଏହି କେଳେଙ୍କାରୀର ତଦନ୍ତ ଉଚ୍ଚସ୍ତରୀୟ ସ୍ବତନ୍ତ୍ର ଟିମ୍ ଦ୍ବାରା କରାଯାଉଛି। ଏଥିରେ କେବଳ ମଧ୍ୟ ପ୍ରଦେଶ ନୁହେଁ, ବାହାର ରାଜ୍ୟର ଅନେକ ନେତା ଓ ଅଫିସର ମଧ୍ୟ ସଂପୃକ୍ତ ଥିବା ଜଣାପଡ଼ିଛି।

Advertisment

ତଦନ୍ତକାରୀ ଟିମ୍ ଅନେକ କଂପ୍ୟୁଟର ଏବଂ ମୋବାଇଲ ଫୋନ୍ ଜବତ କରିଛି। ଏଥିରେ ଏକ ହଜାରରୁ ଅଧିକ ଯୌନ କାରନାମାର ଅଡିଓ ଏବଂ ଭିଡିଓ କ୍ଲିପ୍ ରହିଛି। ଏଥିରେ ୨୦୦ରୁ ଅଧିକ ମୋବାଇଲ ଫୋନ ନମ୍ବର ମଧ୍ୟ ରହିଥିବା ଜଣାପଡ଼ିଛି।

ଜଣେ ପୋଲିସ ଅଧିକାରୀ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି କେଳେଙ୍କାରୀରେ ଜଡ଼ିତ ଥିବା ୧୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଡାକି ପଚରାଉଚରା କରାଯାଉଛି। ନେତାମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏଥିରେ ଉଭୟ ବିଜେପି ଏବଂ କଂଗ୍ରେସର ନେତା ଅଛନ୍ତି। ଭିଡିଓ କ୍ୟାମେରାରେ ସେମାନଙ୍କର କାରନାମା କଏଦ ହୋଇ ରହିଛି।

ରାକେଟରେ ୫ ଜଣ ଯୁବତୀ ଓ କଲେଜ ଛାତ୍ରୀ ଅଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଦେଉଥିବା ତଥ୍ୟ ଆଧାରରେ ତଦନ୍ତ ଚାଲିଛି। ଏହି ରାକେଟ ଚଳାଉଥିଲେ ୩୯ ବର୍ଷୀୟା ଶ୍ବେତା ଜୈନ୍। ତାଙ୍କର ଗୋଟିଏ ଏନଜିଓ ରହିଛି। ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରର ଅନେକ ପ୍ରଭାବଶାଳୀ ନେତା ଓ ଅଫିସରମାନଙ୍କ ସହିତ ତାଙ୍କର ଘନିଷ୍ଠତା ରହିଛି। ବିଭିନ୍ନ ନାମୀଦାମୀ ସଂସ୍ଥା ସପକ୍ଷରେ ସରକାରୀ ଠିକା କାମ ହାସଲ କରିବା ଲାଗି ‌ଏହି ରାକେଟ୍‌ ନେତା ଓ ଅଫିସରମାନଙ୍କୁ ଯୌନ କର୍ମୀ ଓ କଲେଜ ଛାତ୍ରୀଙ୍କୁ ଯୋଗାଉଥିଲେ। ଏହା ବଦଳରେ ଠିକା ସଂସ୍ଥାମାନଙ୍କ ଠାରୁ କମିସନି ମଧ୍ୟ ନେଉଥିଲେ। ଯେଉଁ କଲେଜ ଛାତ୍ରୀମାନଙ୍କୁ ଏହି କେଳେଙ୍କାରୀରେ ନିୟୋଜିତ କରାଯାଉଥିଲା ସେମାନଙ୍କୁ ଚାକିରି, ବିଳାସପୂର୍ଣ୍ଣ ଘର ଓ ଅଡ଼ି ଭଳି କାରର ଲୋଭ ଦିଆଯାଉଥିଲା। ପ୍ରାୟ ଦୁଇ ଡଜନ୍ କଲେଜ ଛାତ୍ରୀଙ୍କୁ ଏହି କାମରେ ଲଗାଯାଇଥିବା ଶ୍ବେତା ସ୍ବୀକାର କରିଛନ୍ତି।

ଶ୍ବେତା ଆହୁରି ସ୍ବୀକାର କରିଛନ୍ତି ଯେ କେବଳ ଠିକା କାମ ନୁହେଁ ଏହ ଉପାୟରେ ସେ ଅନେକ ଆଇଏଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ବଦଳି ମଧ୍ୟ କରାଉଥିଲେ। ଅନେକ ବର୍ଷ ଧରି ଏହି ରାକେଟ ଚାଲିଥିଲା। ତାଙ୍କ ଘରୁ ପୋଲିସ କଂପ୍ୟୁଟର, ଲାପଟପ୍, ମୋବାଇଲ ଫୋନ ଏବଂ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏଥିରେ‌ ପ୍ରମାଣ ଭର୍ତି ହୋଇ ରହିଛି। ରାକେଟରେ ଯେଉଁ ୫ ଜଣ ଯୁବତୀ ଓ ଛାତ୍ରୀ ଥିଲେ ସେମାନେ ନିଜ ନିଜର ଗ୍ୟାଙ୍ଗ ମଧ୍ୟ ଚଳାଉଥିଲେ।

ଯୌନ କେଳେଙ୍କାରୀର ଭିଡିଓ ‌ଦେଖାଇ ସେମାନେ ନେତା ଓ ଅଫିସରମାନଙ୍କୁ ବ୍ଲା‌କମେଲ କରୁଥି‌ଲେ। ନିକଟରେ ସେମାନଙ୍କ ଜାଲରେ ପଡ଼ିଥିଲେ ଜଣେ ବରିଷ୍ଠ ଆଇଏଏସ୍ ଅଫିସର। ଏହି ରାକେଟ ତାଙ୍କଠାରୁ ୨ କୋଟି ଟଙ୍କା ଦାବି କରିଥିଲା। ଇନ୍ଦୋରର ଜଣେ ଅଧିକାରୀଙ୍କ ଠାରୁ ମଧ୍ୟ ସେମାନେ ୩ କୋଟି ଟଙ୍କା ଦାବି କରିଥିଲେ। ଏହି ଅଫିସର ଜଣକ ଥାନାରେ ଅଭିଯୋଗ କରିବା ପରେ ରା‌କେଟକୁ ଧରିବା ଲାଗି ପୋଲିସ ପକ୍ଷରୁ ଜାଲ ବିଛାଯାଇଥିଲା। ରା‌କେଟର ଅନ୍ୟତମ ସଭ୍ୟା ଆରତୀ ଦୟାଲ ସଂପୃକ୍ତ ଅଧିକାରୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ତାଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଅନ୍ୟମାନଙ୍କୁ ଗିରଫ କରିଥିଲା।