ମଧ୍ୟପ୍ରଦେଶ ଉପନିର୍ବାଚନରେ ପରାଜୟ ପରେ ଚୌହାନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଇମର୍ତ୍ତୀ ଦେବୀ

ଭୋପାଳ: ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ ବିଧାନସଭା ଉପ ନିର୍ବାଚନରେ ହାରିଯିବା ପରେ ରାଜ୍ୟର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଥିବା ଇମର୍ତ୍ତୀ ଦେବୀ ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିକଟକୁ ପଠାଇ ଦେଇଥିବା ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଚୌହାନ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ତିନିଜଣ ମନ୍ତ୍ରୀ ଅଦାଲ ସିଂ କାନସାନା, ଗିରାଜ ଦାଣ୍ଡୋଟିଆ ଏବଂ ଇମର୍ତ୍ତୀ ଦେବୀ ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ ବିଧାନସଭା ଉପ ନିର୍ବାଚନରେ ହାରି ଯାଇଛନ୍ତି।

ପରାଜୟ ପରେ ସର୍ବପ୍ରଥମେ କାନସାନା ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହା ପରେ ଡାଣ୍ଡୋଟିଆ ମଧ୍ୟ ଚୌହାନଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ, ଶେଷରେ ଇମର୍ତ୍ତୀ ଦେବୀ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଚୌହାନଙ୍କ ନିକଟକୁ ପଠାଇଛନ୍ତି। ରାଜ୍ୟର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଇମର୍ତ୍ତୀ ଦେବୀ ତାଙ୍କ ନିଜ ବିଭାଗର ଏକ ଟେଣ୍ଡର ଫିକ୍ସିଂରେ ସଂପୃକ୍ତ ରହିଥିବାରୁ ଉପ ନିର୍ବାଚନରେ ପରାଜୟ ପରେ ବି ମନ୍ତ୍ରୀ ପଦରୁ ଇସ୍ତଫା ଦେଉନାହାନ୍ତି ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଥିଲା।

ତେବେ, ଉପ ନିର୍ବାଚନରେ ପରାଜୟ ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଏହି ତିନିଜଣ ମନ୍ତ୍ରୀଙ୍କୁ ବିଭିନ୍ନ ନିଗମର ଚେୟାରମ୍ୟାନ୍‌ ପଦବୀରେ ଅଧିଷ୍ଠିତ କରାଇ ସେମାନଙ୍କୁ ମନ୍ତ୍ରୀ ପାହ୍ୟା ଓ ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ଚୌହାନ ଯୋଜନା ରଖିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର