ଇନ୍ଦୋର: କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷକରି କରୋନା ଜନିତ ଲକ୍ଡାଉନ ଯୋଗୁଁ ସାଧାରଣ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏଭଳି ସ୍ଥିତିରେ ମଧ୍ୟପ୍ରଦେଶର ଇନ୍ଦୋର ପେର ପ୍ରଶାସନ ପକ୍ଷରୁ ଠେଲାଗାଡ଼ିରେ ଅଣ୍ଡା ବିକ୍ରି କରୁଥିବା ଜଣେ ବାଳକର ଠେଲାକୁ ଓଲଟାଇ ଦିଆଯାଇଥିଲା। ଉକ୍ତ ବାଳକର ନାମ ପାରାସ ରାଇକୱାର ବୋଲି ଜଣାପଡ଼ିଛି। ଠେଲା ଓଲଟାଇ ଦେବାରୁ ପାରାସ ବହୁତ ବିକଳ ହୋଇ ତଳେ ପଡ଼ି ନଷ୍ଟ ହୋଇଯାଇଥିବା ଅଣ୍ଡାଗୁଡ଼ିକୁ ଦେଖୁଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଏହି ଭିଡିଓ ଭାଇରାଲ ହେବା ପରେ ପାରାସଙ୍କ ଭାଗ୍ୟ ବଦଳି ଯାଇଛି। ରାତାରାତି ତାଙ୍କ ପାଖକୁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି। କେବଳ ଏତିକି ନୁହେଁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ପାରାସଙ୍କ ପରିବାରକୁ କଲ ଆସିବା ସହିତ ଆଶ୍ୱସନା ମଧ୍ୟ ଦିଆଯାଇଛି। ଏଥିସହିତ ଦିଗବିଜୟ ସିଂ ପାରାସଙ୍କୁ ଆର୍ଥିକ ସହାୟତା ଏବଂ ଦିଲ୍ଲୀ କଲେଜରେ ଶିକ୍ଷାଦାନ କରିବାକୁ ନିଶ୍ଚିତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପୀଡିତାଙ୍କ ପରିବାରର ଜମା ଖାତାରେ ପାଞ୍ଚ ଲକ୍ଷ ଟଙ୍କା ଜମା କରିବାକୁ ଘୋଷଣା କରିଛନ୍ତି।
ଏମିତି ଏକ ସମୟ ଥିଲା ଯେତେବେଳେ ପାରାସ ଏବଂ ତାଙ୍କ ମାତାପିତାଙ୍କୁ ଗୋଟିଏ ଗୋଟିଏ ଅଣ୍ଡା ବିକ୍ରି କରିବାକୁ ସଂଘର୍ଷ କରିବାକୁ ପଡୁଥିଲା, କିନ୍ତୁ ଆଜି ପାରାସଙ୍କ ପରିବାରଙ୍କ ପାଖକୁ ନିରନ୍ତର ସାହାଯ୍ୟ ପାଇଁ ଫୋନ୍ ଆସିବାରେ ଲାଗିଛି।
କେବଳ ଏତିକି ନୁହେଁ, ଇନ୍ଦୋର ବିଧାୟକ ରମେଶ ମେଣ୍ଡୋଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏକ ଘର ଦେବାକୁ ଘୋଷଣା କରିବା ସହିତ ପିଲାମାନଙ୍କୁ ସ୍କୁଲ ଯିବାକୁ ସାଇକେଲ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀର ଜଣେ ବରିଷ୍ଠ ସାମ୍ବାଦିକ ମଧ୍ୟ ପାରାସଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଭିଯାନ ଚଲାଇଛନ୍ତି।
ଆଶ୍ଚର୍ଯ୍ୟର କଥା ଏହି ଭିଡିଓ ଭାଇରାଲ ହେବା ପରେ ମୁମ୍ବାଇର ଜଣେ ୮ ବର୍ଷର ପିଲା ପାରାସଙ୍କ ସାହାଯ୍ୟ ପାଇଁ ତାଙ୍କ ଛାତ୍ରବୃତ୍ତି ଟଙ୍କା ଦାନ କରିଛନ୍ତି। ପାରାସ କ୍ରମାଗତ ଭାବରେ ଫୋନରେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛନ୍ତି।।