ଇନ୍ଦୋର: ମଧ୍ୟପ୍ରଦେଶ ବନ ଓ ଜେଲ୍‌ ନିଯୁକ୍ତି ପରୀକ୍ଷା -୨୦୨୩ରେ ଜଣେ ପ୍ରାର୍ଥୀ ମୋଟ ୧୦୦ ମାର୍କରୁ ୧୦୧.୬୬ ମାର୍କ ପାଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ଏହି କଥା ପ୍ରଘଟ ହେବା ପରେ ଅନ୍ୟ ପ୍ରାର୍ଥୀମାନେ ପରୀକ୍ଷାରେ ଜାଲିଆତି ହୋଇଥିବା ଅଭି‌ଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। 

Advertisment

ମଧ୍ୟପ୍ରଦେଶର ବନ ଓ ଜେଲ୍‌ ନିଯୁକ୍ତି ପରୀକ୍ଷାର ଫଳ ଡିସେମ୍ବର ୧୩ରେ ପ୍ରକାଶ ପାଇଛି। ଜଣେ ପ୍ରାର୍ଥୀ ମୋଟ ୧୦୦ ମାର୍କରୁ ୧୦୧.୬୬ ମାର୍କ ପାଇଛନ୍ତି। ଏହି କଥା ପ୍ରଘଟ ହେବା ପରେ ଅନ୍ୟ ପ୍ରାର୍ଥୀମାନେ ପରୀକ୍ଷାରେ ଜାଲିଆତି ହୋଇଥିବା ଅଭିଯୋଗ କରି ଏହାର ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି। ସୋମବାର, କେତେକ ଛାତ୍ରଛାତ୍ରୀ ଇନ୍ଦୋର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି। ବିରୋଧ ପରେ ମଧ୍ୟପ୍ରଦେଶ କର୍ମଚାରୀ ଚୟନ ବୋର୍ଡ ପକ୍ଷରୁ ‘ସାମାନ୍ୟକରଣ’ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣରେ କୁହାଯାଇଛି, ଏହା ବୋର୍ଡର ନୀତି ଅନୁସାରେ କରାଯାଇଛି। ଏହି ପ୍ରକ୍ରିୟା ଦ୍ବାରା, ପ୍ରାର୍ଥୀ ୧୦୦ରୁ ଅଧିକ ନମ୍ବର ପାଇପାରିବେ କିମ୍ବା ଶୂନ ଠାରୁ ମଧ୍ୟ କମ୍‌ (ମାଇନସ୍‌ ମାର୍କିଂ) ମାର୍କ ପାଇପାରିବେ। 

ସୂଚନାଯୋଗ୍ୟ ସାମାନ୍ୟକରଣ ପ୍ରକ୍ରିୟାରେ, କଠିନ ପ୍ରଶ୍ନର ଉତ୍ତରକୁ ଏଭଳି ମୂଲ୍ୟାଙ୍କନ କରାଯାଇଥାଏ ଯଦ୍ବାରା ଜଣେ ଛାତ୍ରର ଉକ୍ତ କଠିନ ପ୍ରଶ୍ନର ଉତ୍ତର ଦ୍ବାରା କୌଣସି ଲାଭ କିମ୍ବା କ୍ଷତି ହେବନାହିଁ, ବରଂ ଅନ୍ୟ ଛାତ୍ରଙ୍କ ମାର୍କ ସହ ସମତୁଲ ରକ୍ଷା ହେବ। ଯେତେବେଳେ ଗୋଟିଏ ବିଷୟର ମୂଲ୍ୟାଙ୍କନ ଅନେକ ପର୍ଯ୍ୟାୟରେ କରାଯାଇଥାଏ ଓ ପ୍ରତ୍ୟେକ ପର୍ଯ୍ୟାୟ ଭିନ୍ନ ଖାତା ବ୍ୟବହାର ହୋଇଥାଏ। ସେତେବେଳେ ଏହି ପ୍ରକ୍ରିୟାର ଆବଶ୍ୟକତା ହୋଇଥାଏ।