ସାଗର(ମଧ୍ୟପ୍ରଦେଶ): ଚୋରିର ଆରୋପ ଲଗାଇ ଯୁବକଙ୍କୁ ଉଲଗ୍ନ କରି ପିଟିଲେ ଲୋକେ। ଏବେ ସୋସିଆଲ ମିଡିଆରେ ଏଭଳି ଘଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ପୀଡ଼ିତଙ୍କୁ ଉଲଗ୍ନ କରି ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ସାଗର ସହରରେ ଏହି ଘଟଣା ଘଟିଥିବା କୁହାଯାଉଛି।
ଭିଡିଓରେ ଜଣେ ଉଲଗ୍ନ ବ୍ୟକ୍ତି କାନ୍ଥକୁ ଲାଗି ବସିଥିବାର ନଜର ଆସିଛନ୍ତି। ତାଙ୍କ ପୋଷାକ ତାଙ୍କ ପାଖରେ ପଡ଼ିଥିବା ଦେଖାଯାଇଛି। ଏହି ଭିଡିଓରେ ମାଡ଼ ମାରୁଥିବା ଲୋକେ ଚୋରି ଅଭିଯୋଗ ଆଣି ଉଲଗ୍ନ ହୋଇ ବସିଥିବା ଯୁବକଙ୍କୁ ପାଇପରେ ପିଟୁଛନ୍ତି। ସେମାନେ ବାରମ୍ବାର ପାଇପ୍ ସାହାଯ୍ୟରେ ପୀଡ଼ିତଙ୍କ ହାତକୁ ମାଡ଼ ମାରୁଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ଏହି ଭିଡିଓଟି ମୋତିନଗର ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ଧରମ କାନ୍ତ ଅଞ୍ଚଳରେ ରେକର୍ଡ ହୋଇଥିବା ଜଣାପଡିଛି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଅତିରିକ୍ତ ଏସପି ବିକ୍ରମ ସିଂ କୁଶୱାହ କହିଛନ୍ତି ଯେ ଏହି ଘଟଣା ବିଷୟରେ ଜାଣିବା ପରେ ଏବେ ଭିଡିଓ ସହ ଏତଲା ପଞ୍ଜିକୃତ ହୋଇଛି। ଘଟଣାଟି କେଉଁଠାରେ ଘଟିଛି ଏବଂ ଭିଡିଓରେ ଦେଖାଯାଉଥିବା ଅଭିଯୁକ୍ତମାନେ କିଏ ତାହା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
କିଛି ଦିନ ତଳେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରାଯିବାର ଭିଡିଓକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିଲା। ପ୍ରବେଶ ଶୁକ୍ଲା ନାମକ ଜଣେ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ। ଏବେ ତାଙ୍କ ଭୁଲ ପାଇଁ ପୁଲିସ ତାଙ୍କୁ ଗିରଫ କରିଛି।