ମଧ୍ୟପ୍ରଦେଶ : ଭଣ୍ଡାରିକୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଲେ ମନ୍ତ୍ରୀ

ଖଣ୍ଡଓ୍ଵା : ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଘଟିଛି । ଜଣେ ଭଣ୍ଡାରିର କଳାରେ ମୁଗଧ ହୋଇ ଜଣେ ମନ୍ତ୍ରୀ ତାକୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ରାଜ୍ୟର ଖଣ୍ଡଓ୍ଵା ଜିଲ୍ଲାର ଗୁଲାଇମାଲ ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜର ଆର୍ଥିକ ଦୁରାବସ୍ଥା ଦୃଷ୍ଟିରୁ ରୋହିଦାସ ନାମକ ଜଣେ ଭଣ୍ଡାରି ରାଜ୍ୟର ମନ୍ତ୍ରୀ ବିଜୟ ଶାହାଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଏହି ଆର୍ଥିକ ସହାୟତାରେ ସେ ଏକ ସେଲୁନ ଖୋଲିବାକୁ ଲକ୍ଷ୍ୟ ରଖିଥିଲେ । ଉକ୍ତ ଅଞ୍ଚଳରେ ହେଉଥିବା ଏକ ସଭାବେଳେ ମନ୍ତ୍ରୀ ରୋହିଦାସକୁ ଡାକିଥିଲେ ଓ ମଞ୍ଚ ଉପରେ ତାଙ୍କୁ ଖିଅର କରି ନିଜର କଳାଚାତୁରୀ ଦେଖାଇବାକୁ କହିଥିଲେ । ଏହା ପରେ ରୋହିଦାସ ତାଙ୍କର କେଶ କାଟିବା ସହ ଖିଅର କରିଦେଇଥିଲା । ଏଥିରେ ଖୁସି ହୋଇ ମନ୍ତ୍ରୀ ତାକୁ ତୁରନ୍ତ ୬୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହ ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ କରୋନା ଯୋଗୁଁ ଅନେକ ଲୋକ ନିଜର ଜୀବିକା ହରାଇଛନ୍ତି ଓ ଆର୍ଥିକ ଅନାଟନରେ ଚଳୁଛନ୍ତି । ମୁଁ ତା ଦ୍ୱାରା ଖିଅର ହୋଇ ପ୍ରମାଣିତ କଲି ଯେ ଉପଯୁକ୍ତ କରୋନା ଗାଇଡଲାଇନ ପାଳନ କରି କାମ କଲେ କୌଣସି ବିପଦ ଆସିବ ନାହିଁ ।

ସମ୍ବନ୍ଧିତ ଖବର