ଅର୍ଥ ଅଭାବରୁ କାନ୍ଧରେ ଲଙ୍ଗଳ ବୋହି ୮୦ବର୍ଷର ବୃଦ୍ଧ ବାପ ସହିତ ଜମି ଚାଷ କଲା ପୁଅ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରୁ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ କୃଷକଙ୍କ ଜୀବନର ବାସ୍ତବିକତାର ପରିଚୟ ମିଳିଯାଉଛି। ବଳଦ ବଦଳରେ ଜଣେ ଯୁବକ ଲଙ୍ଗଳକୁ କାନ୍ଧରେ ଧରିଥିବା ବେଳେ ତାର ବାପା ପୁଅର ପଛେପଛେ ଲଙ୍ଗଳକୁ ଧରି ଜମି ହଳ କରୁଛନ୍ତି।

ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଶାଜାପୁରର ଘଟିଛି। ଜମିକୁ ଲିଜ୍‌ରେ ନେଇଥିବା ବ୍ୟକ୍ତିଙ୍କ ନାମ ଲକ୍ଷ୍ମୀନାରାୟଣ ଓ ତାଙ୍କ ପିତାଙ୍କ ନାମ ମେହତାବ ସିଂହ ବୋଲି ଜଣାପଡ଼ିଛି। ଅର୍ଥିକସ୍ଥିତି ଠିକ୍‌ ନ ଥିବା ହେତୁ ଲକ୍ଷ୍ମୀନାରାୟଶ ଓ ତାଙ୍କ ୮୦ବର୍ଷୀୟ ପିତା ମେହତାବ ସିଂହ ନିଜେ ନିଜ ବଳରେ ଜମିକୁ ହଳ କରି ଚାଷ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାପରେ ଲକ୍ଷ୍ମୀନାରାୟଣ କାନ୍ଧରେ ଲଙ୍ଗଳ କାନ୍ଧେଇ ଥିବା ବେଳେ ତାଙ୍କ ବାପା ଜମି ହଳ କରୁଛନ୍ତି। ଏହି ହଳ ପରେ ଦୁହେଁ କ୍ଷେତରେ ମଞ୍ଜି ପକାଇ ଫସଲ କରିବେ। ବାପ-ପୁଅଙ୍କ ହଳ କରୁଥିବାର ଫଟୋ ମଧ୍ୟପ୍ରଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ଖୁବ୍‌ ଶୀଘ୍ର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଅଛି। ଏହି କାରଣରୁ ବିପକ୍ଷ ଦଳ କଂଗେସ ରାଜ୍ୟରେ ଚାଷୀଙ୍କ ଖରାପ ସ୍ଥିତିକୁ ପ୍ରସଙ୍ଗ କରି ଶିବରାଜ ସରକାରଙ୍କୁ ଆକ୍ଷେପ କରିଛନ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସର ବରିଷ୍ଠ ନେତା କମଳ ନାଥ ଏହି ଦୁଇ ବାପ-ପୁଅଙ୍କ ହଳ କରୁଥିବାର ଫଟୋକୁ ଟୁଇଟରରେ ସେୟାର କରି ଲେଖିଛନ୍ତି, ଚାଷୀ ପୁତ୍ରଙ୍କ ରାଜ୍ୟରେ ଜମି ଓ ଚାଷୀଙ୍କୁ ନେଇ ସରକାର ଯେତେ ବି ବଡ ଦାବି କରନ୍ତୁ, କିନ୍ତୁ ବାସ୍ତବିକ ଚିତ୍ର କିଛି ଅନ୍ୟ ରହିଛି…ଏବେ ଚାଷୀମାନେ ଅନେକ ସମସ୍ୟା ଓ ଅସୁବିଧା ଦେଇ ଗତି କରୁଛନ୍ତି। ତାଙ୍କ ନାମରେ ଚାଲୁଥିବା ସମସ୍ତ ଯୋଜନା ଭ୍ରଷ୍ଟାଚାର ଅଟେ। କାରଣ ଏହି ଯୋଜନା ଦ୍ୱାରା ଚାଷୀଙ୍କୁ କୌଣସି ଲାଭ ମିଳୁ ନାହିଁ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟପ୍ରଦେଶ ମନ୍ଦସୋରରେ ଚାଷୀମାନେ ସରକାରଙ୍କ ବିରୋଧରେ କରିଥିବା ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। ଫଳରେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ହେତୁ ୫ଜଣ ଚାଷୀଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର