ଭୋପାଳ: ଚଳିତ ମଧ୍ୟପ୍ରଦେଶ ନିର୍ବାଚନରେ ବିଜୟୀ ହୋଇଥିବା ସବୁଠୁ ଧନୀ ବିଧାୟକଙ୍କର ୨୨୩ କୋଟି ଟଙ୍କାର ସମ୍ପତ୍ତି ଥିବା ବ‌େଳେ ଚାରିଚକିଆ ଗାଡ଼ି ଖଣ୍ଡେ ଯୋଗାଡ଼ କରି ନ ପାରି କାଗଜପତ୍ର ଦାଖଲ କରିବାକୁ ବାଇକ୍‌ରେ ୩୦୦ କିଲୋମିଟର୍‌ ଦୂର ଭୋପାଳରେ ଥିବା ବିଧାନସଭାକୁ ଆସିଥିଲେ କ‌ମଳେଶ୍ବର ଡୋଡ଼ିୟାର୍‌ ନାମରେ ଜଣେ ବିଧାୟକ।

Advertisment

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଗଠିତ ‘ଭାରତ ଆଦିବାସୀ ପାର୍ଟ’ ଟିକେଟ୍‌ରେ ରତଲାମ ଜିଲ୍ଲା ଅନ୍ତର୍ଗତ ସଂରକ୍ଷିତ ଜନଜାତି ଆସନ ସୈଲାନାରୁ ୩୩ ବର୍ଷିୟ କ‌ମଳେଶ୍ବର ଡୋଡ଼ିୟାର୍‌ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ହର୍ଷବିଜୟ ଗେହ୍‌ଲଟ୍‌ଙ୍କୁ ୪,୬୧୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୩୦ ଆସନବିଶିଷ୍ଟ ରାଜ୍ୟ ବିଧାନସଭାର ଏହା ହେଉଛି ଏକମାତ୍ର ଆସନ ଯେଉଁଠାରେ ‘ବିଜେପି’ କିଂବା ‘କଂଗ୍ରେସ’ ବିଜୟୀ ହୋଇ ନାହାନ୍ତି।

publive-image Image Courtesy of TV9Bangla

ସେ କହନ୍ତି, ନିର୍ବାଚନ ପ୍ରଚାରରେ ଦଳର ସହକର୍ମୀମାନେ ସହଯୋଗ କଲେ। ନ ଖାଇ ନ ପିଇ ହାତରୁ ପଇସା ଖର୍ଚ୍ଚ କରି ମୋ ପାଇଁ ସେମାନେ ପ୍ରଚାର କଲେ। ମୁଁ ଗରିବ ନିଶ୍ଚୟ, କିନ୍ତୁ ଗରିବମାନଙ୍କ ପାଇଁ ଭଲ କାମ କରିବାକୁ ଚାହେଁ। ସରକାରୀ ଯୋଜନା ସବୁ ଠିକ୍‌ରୂପେ ଲାଗୁ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବି।

ସୈଲାନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଧାକୂଅ ଗ୍ରାମରେ ଗୋଟାଏ ଆଦିବାସୀ ପରିବାରରେ ଜନ୍ମିତ ଡୋଡ଼ିୟାର୍‌ ଓ ତାଙ୍କ ପରିବାର ମାଟିଘରେ ରହନ୍ତି। ତାଙ୍କ ମାଆ କହନ୍ତି, ପୁଅ କମଳେଶ୍ବରର ପ୍ରାରମ୍ଭିକ ପାଠପଢ଼ା ନିମନ୍ତେ ସେ ଗାଁରେ ଅଣ୍ଡା ବିକ୍ରୟ କରୁଥିଲେ ଓ ଗୁଜରାଟ ଓ ରାଜସ୍ଥାନ ଯାଇ ମୂଲପାତି ଲାଗୁଥିଲେ। ବି. ଏ. ପଢ଼ିବାକୁ କମଳେଶ୍ବର ନିଜେ ମଧ୍ୟ ଦିନମଜୁରିଆ ଭାବେ କାମ କରୁଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆଇନ ପଢୁଥିବା ବେଳେ ‘ଟିଫିନ୍‌ ଡେଲିଭରି ବୟ’ କାମ କରୁଥିଲା।

ଗାଁ’କୁ ଫେରି ସାମାଜିକ କାର୍ଯ୍ୟରେ କରୁଥିବା କମଳେଶ୍ବର ୨୦୧୮ରେ ପ୍ରଥମ ଥର ପାଇଁ ସୈଲାନା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ତା’ପରେ ୨୦୧୯ରେ ଲୋକସଭା ନିର୍ବାଚନ ଲଢ଼ି ପୁଣି ପରାସ୍ତ ହୋଇଥିଲେ।

ଶେ‌ଷରେ କମଳେଶ୍ବର ନବଗଠିତ ‘ଭାରତ ଆଦିବାସୀ ପାର୍ଟ’ରୁ ଟିକେଟ୍‌ରେ ଚଳିତ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି।