ମଧ୍ୟପ୍ରଦେଶ ରାଜନୀତି: ଶକ୍ତି ପରୀକ୍ଷା ଅଧିକ ଦିନ ଟାଳି ପାରିବେ ନାହିଁ ବାଚସ୍ପତି

ରାଜ୍ୟପାଳଙ୍କୁ ଭେଟିଲେ ଶିବରାଜ, ବିଧାୟକଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରିପାରିବେ ନାହିଁ

ଭୋପାଳ: ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ଆହୁରି ଜଟିଳ ହୋଇଛି। ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଗତକାଲି ଭୋପାଳ ଆସିବା ବଦଳରେ ପୁଣି ବେଙ୍ଗାଲୁରୁ ସ୍ଥିତ ହୋଟେଲକୁ ଫେରି ଯାଇଥିବାରୁ ବିଧାନସଭାରେ ଶକ୍ତି ପରୀକ୍ଷା କେବେ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଆଜି ବରିଷ୍ଠ ବିଜେପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟପାଳଙ୍କୁ ଭେଟି ୨ ଦିନ ମଧ୍ୟରେ ଶକ୍ତି ପରୀକ୍ଷା କରାଯିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ସରକାର ବାଧ୍ୟ କରିପାରିବେ ନାହିଁ କି ଫ୍ଲୋର୍‌ ଟେଷ୍ଟ୍‌କୁ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଟକାଇ ପାରିବେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କର୍ଣ୍ଣାଟକରେ ଏବେ ଯେଭଳି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି ଗତ ବର୍ଷ କର୍ଣ୍ଣାଟକରେ ମଧ୍ୟ ସମାନ ସ୍ଥିତି ଉପୁଜି ଥିଲା। ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ନିର୍ଦ୍ଦେଶ ଦେଇ କହିଥିଲେ, ଇସ୍ତଫା ପ୍ରଦାନର ସପ୍ତାହକ ମଧ୍ୟରେ ବାଚସ୍ପତିଙ୍କୁ ଏହାର ବୈଧତା ଯାଞ୍ଚ କରିବାକୁ ପଡ଼ିବ। ଯଦି ଇସ୍ତଫା ଠିକ୍‌ ଥିବ ତା’ହେଲେ ଏହାକୁ ସେ ମଂଜୁର କରିବେ ନହେଲେ ଏହାକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିପାରିବେ। ଏଭଳି ସ୍ଥିତିରେ ଯଦି ବାଚସ୍ପତି ୨୨ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବେ। ତା’ହେଲେ ମହାରାଷ୍ଟ୍ରରେ କମଳନାଥ ସରକାରର ପତନ ଘଟିବ ଏବଂ କଂଗ୍ରେସର ବିଧାୟକ ସଂଖ୍ୟା ୧୨୧ରୁ ୯୯କୁ ଖସି ଆସିବ। ଏହାପରେ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାପାଇଁ ମ୍ୟାଜିକ୍‌ ନମ୍ବର ୧୦୪କୁ ଆସିଯିବ।

ଯଦି ବାଚସ୍ପତି ଇସ୍ତଫା ଗ୍ରହଣ କରିବେ ନାହିଁ ତା’ହେଲେ ବିଧାୟକଙ୍କୁ ଗୃହକୁ ଆସିବା ପାଇଁ କୁହାଯିବ ଏବଂ ସେମାନେ ଏଥିରେ ସହଯୋଗ ନକଲେ ସେମାନଙ୍କୁ ଦଳରୁ ବହିଷ୍କାର କରାଯିବ। ଏଭଳି ପରିସ୍ଥିତିରେ ବିଧାୟକଙ୍କ ସଦସ୍ୟତା କାଏମ ରହିବ, କିନ୍ତୁ ବିଧାୟକମାନଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ ଏବଂ ଫ୍ଲୋର୍‌ ଟେଷ୍ଟ୍‌କୁ ଅଧିକ ସମୟ ଅଟକା ଯାଇପାରିବ ନାହିଁ ବୋଲି କର୍ଣ୍ଣାଟକ ମାମଲାରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର