ମଧ୍ୟପ୍ରଦେଶ ରାଜନୀତି: ଆସ୍ଥା ଭୋଟ୍‌ ତାରିଖକୁ ନେଇ ସସ୍‌ପେନ୍‌ସ, ୧୦ ଦିନ ପାଇଁ ବିଧାନସଭା ମୁଲତବୀ

ସୁପ୍ରିମ୍‌କୋର୍ଟ ଗଲେ ବିଜେପି ବିଧାୟକ, ଆଜି ହେବ ଶୁଣାଣି

ଭୋପାଳ: ମଧ୍ୟପ୍ରଦେଶର କମଳନାଥ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ ପ୍ରସଙ୍ଗକୁ ନେଇ ଏବେ ସସ୍‌ପେନ୍‌ସ ଜାରି ରହିଛି। କମଳନାଥ ସରକାରଙ୍କୁ ଆଜି ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ଥିବାବେଳେ ବାଚସ୍ପତି ବିଧାନସଭାକୁ ୧୦ ଦିନ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଅପରପକ୍ଷେ, ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ବିଜେପି ବିଧାୟକମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ହେବ। ବାଚସ୍ପତି ବିଧାନସଭାକୁ ମୁଲତବୀ ଘୋଷଣା କରିବାର କିଛି ସମୟ ପରେ ଆସନ୍ତାକାଲି (ମଙ୍ଗଳବାର) ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମଧ୍ୟପ୍ରଦେଶ ରାଜନୀତିକୁ ନେଇ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆସନ୍ତାକାଲି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।

ଆଜି ବିଧାନସଭା କିଛି ସମୟ ପାଇଁ ଚାଲିବା ପରେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବାଚସ୍ପତି ଏନ୍‌.ପି. ପ୍ରଜାପତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରି ଦେଇଥିଲେ। ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ଙ୍କ ସମେତ ୯ ଜଣ ବିଜେପି ବିଧାୟକ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କମଳନାଥ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ଭୟ କରୁଛନ୍ତି ଏବଂ ଏ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶିବରାଜ ଅଭିଯୋଗ କରିଛନ୍ତି। ତେବେ ସୁପ୍ରିମକୋର୍ଟ ବିଜେପି ବିଧାୟକଙ୍କ ଏହି ମାମଲାର ଶୁଣାଣି ଆ‌ସନ୍ତାକାଲି କରିବେ।

ମଧ୍ୟପ୍ରଦେଶର ୨୨ କଂଗ୍ରେସ ବିଧାୟକ ରାଜ୍ୟପାଳଙ୍କ ନିକଟକୁ ଇସ୍ତଫାପତ୍ର ପଠାଇବା ପରେ କମଳନାଥଙ୍କ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ୧୬ ତାରିଖ ସୋମବାର ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟପାଳ ବିଧାନସଭା ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ଏକ ପତ୍ର ଲେଖି ମାର୍ଚ୍ଚ ୧୬, ସୋମବାର ସୁଦ୍ଧା ବିଧାନସଭାରେ କମଳନାଥ ସରକାରର ସଂଖ୍ୟା ଗରିଷ୍ଠତାର ପରୀକ୍ଷା ନେବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ, ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୨୨ ଜଣ ସମର୍ଥକ ବିଧାୟକ ଏବେ ଦଳରୁ ଇସ୍ତଫା ଦେଇଦେବା ପରେ କମଳନାଥଙ୍କ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଛି। ବାଚସ୍ପତି ଏନ୍‌.ପି. ପ୍ରଜାପତି ଆଜି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିଜ ଆସ୍ଥା ଭୋଟର ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେବା ପୂର୍ବରୁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ କମଳନାଥ ମନ୍ତ୍ରୀମଣ୍ଡଳର ୬ ମନ୍ତ୍ରୀଙ୍କ ସମେତ ୨୨ ବିଧାୟକ ଇସ୍ତଫା ଦେଇଥିଲେ। ତେବେ ବାଚସ୍ପତି କେବଳ ୬ ଜଣ ମନ୍ତ୍ରୀଙ୍କର ଇସ୍ତଫାକୁ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର