ମଧ୍ୟପ୍ରଦେଶ ରାଜନୀତି: ୨୨ ବିଦ୍ରୋହୀ ବିଧାୟକଙ୍କୁ ହାଜର ପାଇଁ ବାଚସ୍ପତିଙ୍କ ନୋଟିସ

୧୬ରେ ଫ୍ଲୋର୍‌ ଟେଷ୍ଟ ପାଇଁ ବିଜେପିର ଦାବି, କଂଗ୍ରେସ ପ୍ରସ୍ତୁତ ଅଛି: ଦିଗ୍‌ବିଜୟ

ଭୋପାଳ: ମଧ୍ୟପ୍ରଦେଶର ୨୨ ବିଦ୍ରୋହୀ ବିଧାୟକ ଶୁକ୍ରବାର ସୁଦ୍ଧା ତାଙ୍କ ସମ୍ମୁଖରେ ହାଜର ହେବାକୁ ବାଚସ୍ପତି ଏନ୍‌.ପି. ପ୍ରଜାପତି ନୋଟିସ ଜାରି କରିଛନ୍ତି। ସେମାନେ ସ୍ବେଚ୍ଛା‌କୃତ ଭାବେ ଇସ୍ତଫା ଦେଇଛନ୍ତି ନା କାହା ଚାପରେ ଏଭଳି କରିଛନ୍ତି ତାହାର ସ୍ପଷ୍ଟୀକରଣ ରଖିବାକୁ ବାଚସ୍ପତି ଏହି ୨୨ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ, ମାର୍ଚ୍ଚ ୧୬ରେ ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ ବିଜେପି ଦାବି କରିଥିବା ବେଳେ କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ଅଛି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି। ବାଚସ୍ପତି ଇସ୍ତଫା ଦେଇଥିବା ୬ ମନ୍ତ୍ରୀଙ୍କ ସମେତ ୨୨ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ବୋଲି ଦିଗ୍‌ବିଜୟ ସୂଚନା ଦେଇଛନ୍ତି। ଏହି ୨୨ ବିଧାୟକ ବାଚସ୍ପତିଙ୍କୁ ନ ଭେଟି ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି। ଏହା ବୈଧ ନୁହେଁ ବୋଲି ଦିଗ୍‌ବିଜୟ କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳ ପରିତ୍ୟାଗ କରିବା ଏବଂ ମଧ୍ୟପ୍ର‌ଦେଶ ବିଧାନସଭାରୁ ୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ୧୫ ମାସର କମଲନାଥ ସରକାର ସଂକଟରେ ପଡ଼ିଯାଇଛି। ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ମାର୍ଚ୍ଚ ୧୬ରେ ସରକାରଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ପଡ଼ିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ କହିଛନ୍ତି। ୨୨ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୯ ଜଣ ବିଜେପି ସମ୍ପର୍କରେ ଅଛନ୍ତି ବୋଲି ବରିଷ୍ଠ ବିଜେପି ନେତା ଭୂପେନ୍ଦ୍ର ସିଂହ କହିଛନ୍ତି।

ଜ୍ୟୋତିରାଦିତ୍ୟଙ୍କୁ ଭୋପାଳରେ ଭବ୍ୟ ସମ୍ବର୍ଦ୍ଧନା
ଭୋପାଳ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବାର ଦିନକ ପରେ ଆଜି ଭୋପାଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦିଲ୍ଲୀରୁ ଫେରି ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀମାନେ ଜ୍ୟୋତିରାଦିତ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ସହ ୨୦ କିଲୋମିଟର ରୋଡ୍‌ ଶୋ’କରାଯାଇଥିଲା। ସନ୍ଧ୍ୟା ସାଢେ ୬ଟାରେ ଜ୍ୟୋତିରାଦିତ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦିବଂଗତ ନେତାମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଜ୍ୟୋତିରାଦିତ୍ୟଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଅନ୍ୟ ବିଜେପି ନେତାମାନେ ତାଙ୍କୁ ସ୍ବା‌ଗତ କରିଥିଲେ। ଏହି ଅବସରରେ ଜ୍ୟୋତିରାଦିତ୍ୟ ବିଜେପି କର୍ମୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜ୍ଞାପନ କରିଥିଳେ। ସୂଚନାଯୋଗ୍ୟ, ବିଜେପିରେ ଯୋଗଦେବା ପରେ ଜ୍ୟୋତିରାଦିତ୍ୟଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି

ସମ୍ବନ୍ଧିତ ଖବର