ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ମନା କଲେ ସୁପ୍ରିମ କୋର୍ଟ, ଆଜି ପୁଣି ଶୁଣାଣି

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି। ଶିବରାଜ ସିଂହ ଚୌହାନଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମୁକୁଲ୍‌ ରୋହତଗି ୧୬ ବିଦ୍ରୋହୀ ବିଧାୟକଙ୍କୁ ବିଚାରପତିଙ୍କ କକ୍ଷରେ ହାଜର କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର, ସୁପ୍ରିମ୍‌ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ବେଞ୍ଚ କହିଥିଲେ ଯେ ବିଧାନସଭାକୁ ଯିବ‌‌ା, ନଯିବ‌ା ବିଧାୟକମାନଙ୍କ ମର୍ଜି‌ ଉପରେ ନିର୍ଭର କରେ। କିନ୍ତୁ ସେମାନଙ୍କୁ ବନ୍ଦୀ କରି ରଖାଯିବା ଠିକ୍ ନୁହେଁ। ସେମାନଙ୍କୁ ଭେଟିବା ଲାଗି ‌ରେଜିଷ୍ଟ୍ରାର ଜେନେରାଲଙ୍କୁ ପଠାଇବା ଲାଗି ମଧ୍ୟ ମନା କରିଦେଇଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ ଏହି ୧୬ ଜଣ ବିଧାୟକଙ୍କ ଉପରେ ସବୁକିଛି ନିର୍ଭର କରୁଛି। ସେମାନଙ୍କୁ ମୁକ୍ତ ଭାବେ ନିଷ୍ପତ୍ତି ନେବାକୁ ସୁଯୋଗ ଦିଆଯିବା ଉଚିତ। ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ୍‌ଙ୍କ ଆବେଦନର ଶୁଣାଣିକୁ ଗୁରୁବାର ଘୁଞ୍ଚାଇ ଦିଆଯାଇଛି। ବିଜେପି ବଳପୂର୍ବକ କଂଗ୍ରେସ ବିଧାୟକଙ୍କୁ ଅପହରଣ କରିଛି ବୋଲି କଂଗ୍ରେସ ପକ୍ଷରୁ ମାମଲା ଲଢୁଥିବା ଓକିଲ ଦୁଷ୍ୟନ୍ତ ଡାଭେ ଆଜି କୋର୍ଟରେ ଶୁଣାଣି ସମୟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। କଂଗ୍ରେସ ମଧ୍ୟପ୍ରଦେଶର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଲୋକମାନଙ୍କ ଦ୍ବାରା ନିର୍ବାଚିତ ହୋଇଛି। ମଧ୍ୟପ୍ରଦେଶବାସୀ କଂଗ୍ରେସକୁ ବିଶ୍ବାସ କରନ୍ତି ବୋଲି ଡାଭେ ଯୁକ୍ତି କରିଥିଲେ। ତେବେ କଂଗ୍ରେସର ଏହି ଯୁକ୍ତିକୁ ଖଣ୍ଡନ କରିବାକୁ ଯାଇ ଶିବରାଜ ସିଂହ ଚୌହାନ୍‌ଙ୍କ ଓକିଲ ମୁକୁଲ୍‌ ରୋହତଗି ଏହି ୧୬ ବିଦ୍ରୋହୀ ବିଧାୟକଙ୍କୁ କୋର୍ଟରେ ହାଜର କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର