ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଓ ତେଲେଙ୍ଗାନା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହେବାରେ ଲାଗିଛି । ଏଥିମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବ । ୨୦୧୮ ନିର୍ବାଚନରେ ବିଜେପି ଏହି ୩ଟି ରାଜ୍ୟରେ ପରାଜିତ ହୋଇଥିଲା ।
ବିଜୟୀ ହୋଇଥିବା ୩ଟି ରାଜ୍ୟରେ ବିଜେପି ଏକ ନୂଆ ପ୍ରୟୋଗ କରିଥିଲା । ଏଥିରେ ଦଳ ୨୧ ଜଣ ସାଂସଦଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା । ବିଜେପି ରାଜସ୍ଥାନରେ ୭ ସାଂସଦ, ମଧ୍ୟପ୍ରଦେଶରେ ୭ ସାଂସଦ ଓ ଛତିଶଗଡରେ ୪ ସାଂସଦ ଏବଂ ତେଲେଙ୍ଗାନାରେ ୩ ଜଣ ସାଂସଦଙ୍କୁ ବିଧାୟକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ।
ଏହି ସାଂସଦମାନଙ୍କ ମଧ୍ୟରେ ମୁଖ୍ୟତଃ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ସିଂ ପଟେଲ ଓ ଫଗନ କୁଲସ୍ତେ ରହିଛନ୍ତି। ଏଥିରୁ ବିଧାନସଭାରେ ବିଜୟୀ ହୋଇଥିବା ସାଂସଦମାନେ ବିଧାୟକ ରହିବେ ନା ସାଂସଦ ରହିବେ ତାହା ୧୪ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ ।
ସମ୍ବିଧାନ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାରୀ କହିଛନ୍ତି କି,‘ଏମାନେ ଯଦି ୧୪ ଦିନ ମଧ୍ୟରେ ଗୋଟିଏ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସେମାନଙ୍କୁ ସାଂସଦ ପଦ ହରାଇବାକୁ ପଡିବ ।
ସମ୍ବିଧାନର ଅନୁଛେଦ ୧୦୧(୨) ମୁତାବକ ଯଦି କୌଣସି ଲୋକସଭା ସଦସ୍ୟ ବିଧାନସଭା ନିର୍ବାଚନ ଲଢନ୍ତି ଓ ବିଜୟୀ ହୁଅନ୍ତି ତେବେ ତାଙ୍କୁ ନୋଟିଫିକେସନ ଜାରି ହେବାର ୧୪ ଦିନ ମଧ୍ୟରେ ବିଧାନସଭା କିମ୍ବା ଲୋକସଭା ପଦ ମଧ୍ୟରୁ ଗୋଟିଏ ପଦରୁ ଇସ୍ତଫା ଦେବାକୁ ପଡିବ।
ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗ ବିଜୟୀ ପ୍ରାର୍ଥୀଙ୍କୁ ନୋଟିଫିକେସନ ଜାରି କରିଥାଏ । ପରମ୍ପରା ମୁତାବକ ଲୋକସଭା ସଦସ୍ୟ ଥିବା ବେଳେ କେହି ବିଧାୟକ ଭାବେ ଶପଥ ନେଇପାରିବେ ନାହିଁ । ଯଦି ଏଭଳି କରନ୍ତି ତେବେ ତାଙ୍କୁ ପ୍ରଥମେ ଲୋକସଭା ବାଚସ୍ପତିଙ୍କୁ ସୂଚନା ଦେବାକୁ ପଡିଥାଏ ।