ଭୋପାଳ: ନଭେମ୍ବର ୧୫ ତାରିଖ ଦିନ ‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଉଦ୍ବୋଧନ ଏବଂ ‘ହବିବ୍ଗଞ୍ଜ ରେଳବାଇ ଷ୍ଟେସନ୍’ର ଉଦ୍ଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪ଘଣ୍ଟିଆ ଗସ୍ତ ଲାଗି ମଧ୍ୟପ୍ରଦେଶ ସରକାର ୨୩ କୋଟି ଟଙ୍କା ଖର୍ଚ୍ଚ କରିବେ।
ସେଦିନ ମଧ୍ୟପ୍ରଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ସ୍ମୃତିରେ ପାଳନ କରିବାକୁ ଥିବା ‘ଜନଜାତୀୟ ଗୌରବ ଦିବସ’ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେବେ ଏବଂ ଭୋପାଳର ଜମ୍ବୂରି ମୈଦାନରେ ଦେଶର ପ୍ରଥମ ସରକାରୀ-ଘରୋଇ ଭାଗିଦାରୀରେ ନିର୍ମିତ ‘ହବିବ୍ଗଞ୍ଜ ରେଳ ଷ୍ଟେସନ୍’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।
ବିର୍ସା ମୁଣ୍ଡା ଏବଂ ଅନ୍ୟାନ୍ୟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଦେଶବ୍ୟାପୀ ନଭେମ୍ବର ୧୫ ରୁ ୨୨ ତାରିଖ ବା ଏକ ସପ୍ତାହ ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ସ୍ଥିର କରିଛି।
/sambad/media/post_attachments/wp-content/uploads/2021/11/mp1.jpg)
ଏହି ଉତ୍ସବ ପାଇଁ ଜମ୍ବୂରି ମୈଦାନରେରେ ସମଗ୍ର ମଧ୍ୟପ୍ରଦେଶରୁ ପ୍ରାୟ ୨ ଲକ୍ଷ ଜନଜାତି ସମବେତ ହେବେ। ସମଗ୍ର ଉତ୍ସବସ୍ଥଳୀକୁ ଜନଜାତୀୟ କଳା ଏବଂ କିଂବଦନ୍ତି ଆଧାରିତ ଚିତ୍ରରେ ସଜା ଯିବ।
ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୪ଘଣ୍ଟା ପାଇଁ ଭୋପାଳ ଯିବେ ଏବଂ ସଭାମଞ୍ଚରେ ୧ ଘଣ୍ଟା ୧୫ ମିନିଟ୍ ରହିବେ। ମଞ୍ଚ ପାଇଁ ନିର୍ମାଣ ହେଉଛି ୫ଟି ଗମ୍ବୁଜ। ଜନଜାତିଙ୍କ ପାଇଁ ମଧ୍ୟ ବଡ଼ ପେଣ୍ଡାଲ୍ ତିଆରି ଚାଲିଛି। ଏଥପାଇଁ ୧ ସପ୍ତାହ ଧରି ୩୦୦ ଶ୍ରମିକ କାର୍ଯ୍ୟରେ ଲାଗିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବ୍ୟୟ କରୁଛନ୍ତି ୨୩ କୋଟିରୁ ଅଧିକ ଟଙ୍କା। ସେଥିରୁ ଜମ୍ବୂରି ମୈଦାନକୁ ଲୋକମାନଙ୍କୁ ଆଣିବା ପାଇଁ ବ୍ୟୟ ହେବ ପ୍ରାୟ ୧୩ କୋଟି ଟଙ୍କା। ୫ଟି ଗମ୍ବୁଜ, ତମ୍ବୁ, ସାଜସଜ୍ଜା ଏବଂ ପ୍ରଚାର ପାଇଁ ଖର୍ଚ୍ଚ ହେଉଛି ୯ କୋଟି ଟଙ୍କା।