ଭୋପାଳ: ମଧ୍ୟପ୍ରଦେଶର ବିଦିଶାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ନସବନ୍ଦୀ କରାଇବାକୁ ଆସିଥିବା ବେଳେ ତାଙ୍କୁ ତଳେ ଶୁଆଇଦେବା ଘଟଣାକୁ ନେଇ ବିବାଦ ଦେଖା ଦେଇଥିଲା। ଏବେ ଏହି ଘଟଣା ଥଣ୍ଡା ହୋଇ ନ ଥିବା ବେଳେ ପୁଣି ଏକ ସରକାରୀ ଡାକ୍ତରଖାନାର ଦାୟିତ୍ବହୀନତା ପଦାରେ ପଡ଼ିଛି। ଉଜ୍ଜୈନ ଜିଲ୍ଲାରେ ନାଗଦାରେ ଥିବା ସରକାରୀ ଡାକ୍ତରଖାନାରେ ମୋବାଇଲ ଟର୍ଚ୍ଚ ଲାଇଟ୍ ଲଗାଯାଇ ଚିକିତ୍ସା କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଡାକ୍ତରଖାନାରେ ନସବନ୍ଦୀ ଅସ୍ତ୍ରୋପଚାର ଶିବିର ଆୟୋଜନ କରାଯାଇଥିଲା। ଏଥିଲାଗି କିଛି ମହିଳା ଆସିଥିବା ବେଳେ ସେହି ସମୟରେ ହଠାତ୍ ଡାକ୍ତରଖାନାର ବିଦ୍ୟୁତ୍ ଚାଲିଯାଇଥିଲା। ଫଳରେ ମହିଳାଙ୍କୁ ମୋବାଇଲ ଟର୍ଚ୍ଚ ଲଗାଇ ଇଞ୍ଜେକ୍ସନ ଦିଆଯିବା ପରେ ଏମରଜେନ୍ସି ଲାଇଟ୍ ଲଗାଇ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଖାନାରେ ଥିବା ଜେନେରେଟର ଓ ଇନଭର୍ଟର ଖରାପ ହୋଇ ଯାଇଥିବାରୁ ଏମରଜେନ୍ସି ଲାଇଟ୍ ଲଗାଇ ଅସ୍ତ୍ରୋପଚାରର କରାଯାଇଥିଲା ବୋଲି ଜଣାପଡ଼ିଛି।

ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ତୁଳସୀ ସିଲାବଟୀଙ୍କୁ ପଚରାଯିବା ପରେ ସେ କହିଥିଲେ, ରାଜ୍ୟରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମିଳୁଥିବା ସୁବିଧାରେ ଅଭାବ ରହିଛି। କିନ୍ତୁ ଆମ ସରକାର ଏହାକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛି। ନାଗଦାରେ ଥିବା ସରକାରୀ ଡାକ୍ତରଖାନାରେ ଘଟିଥିବା ଘଟଣା ବିଷୟରେ ଜାଣି ତଦନ୍ତର ଆଦେଶ ଦେଇଛି। ଏଭଳି ଘଟଣା ଆଗକୁ ନ ଘଟୁ, ସେ ନେଇ ଆମେ ପ୍ରୟାସ ଜାରି ରଖିଛୁ।।