ଲଢ଼େଇ କରି ବାଘ ପାଟିରୁ ୧୫ ମାସର ପୁଅକୁ ଛଡ଼ାଇ ଆଣିଲା ମାଆ

ଉମରିଆ: ବାଘ ସହ ଲଢ଼େଇ କରି ତା’ ଜାବରୁ ନିଜ ୧୫ ମାସର ପୁଅକୁ ରକ୍ଷା କରି ମଧ୍ୟପ୍ରଦେଶର ଜଣେ ୨୫ ବର୍ଷୀୟ ମହିଳା ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି।

ରବିବାର ସକାଳେ ଉମରିଆ ଜିଲ୍ଲା ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାଳା ବିଟ୍‌ ଅନ୍ତର୍ଗତ ରୋହଣିଆ ଗାଁରେ ଘଟିଥିବା ଉପରୋକ୍ତ ଘଟଣାରେ ଆହତ ହୋଇଥିବା ମାଆ ଓ ପୁଅ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଜିଲ୍ଲା ଅଧିକାରୀମାନେ କହିଛନ୍ତି, ବାଘଟିକୁ ଠାବ କରିବା ପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି। ବନାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ସୁନିଶ୍ଚିତ ହେବା ପାଇଁ ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ସଂଗୃହୀତ ସୂଚନା ଅନୁସାରେ, ବାଘ ସହିତ ଲଢ଼ିଥିବା ଉକ୍ତ ମହିଳାଜଣକ ହେଉଛନ୍ତି ଅର୍ଚ୍ଚନା ଚୌଧରୀ। ଶୌଚ ହେବା ପାଇଁ ସେ ପୁଅ ରବିରାଜକୁ ନେଇ ପଡ଼ିଆକୁ ଯାଇଥିଲେ। ସେତେବେଳେ ବାଘଟାଏ ଲମ୍ଫ ମାରି ତାକୁ କାମୁଡ଼ି ଧରିପକାଇଲା।

Image Courtesy of Quartz

ବାଘ ଜାବରୁ ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ସେ ଆକ୍ରମଣ କଲା। କିନ୍ତୁ, ପୁଅକୁ ରକ୍ଷା କରିବା ପାଇଁ ସେ ନିଜର ଉଦ୍ୟମ ଅବ୍ୟାହତ ରଖିଲେ। ଚିତ୍କାର କରିବାରୁ ପରେ ପରେ କେତେକ ଗ୍ରାମବାସୀ ମଧ୍ୟ ଯାଇ ଘଟଣାସ୍ଥଳରେ ହାଜର ହୋଇଗଲେ। ସେମାନେ ଘଉଡ଼ାଇବାରୁ ବାଘଟି ପିଲାକୁ ଛାଡ଼ି ଡିଆଁମାରି ବଣକୁ ଚାଲିଗଲା।

ଅର୍ଚ୍ଚନାଙ୍କ ସ୍ବାମୀ ଭୋଳାପ୍ରସାଦ କହିଛନ୍ତି, ପତ୍ନୀଙ୍କର କଟୀ, ହାତ ଓ ପିଠିରେ ଆଘାତ ଲାଗିଥିବା ବେଳେ ପୁର ମୁଣ୍ଡ ଓ ବେକରେ ଆଘାତ ଲାଗିଛି।

ଚିକିତ୍ସା ନିମନ୍ତେ ମା ଓ ପୁଅଙ୍କୁ ତୁରନ୍ତ ମାନପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ସେମାନଙ୍କୁ ଉମରିଆ ଜିଲ୍ଲା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା କଥା ବନରକ୍ଷୀ ରାମ ସିଂହ ମାର୍କୋ କହିଛନ୍ତି।

ଜିଲ୍ଲା ହସ୍ପିଟାଲ୍‌କୁ ଯାଇ ଉମରିଆ କଲେକ୍ଟର୍‌ ସଞ୍ଜୀବ ଶ୍ରୀବାସ୍ତବ ଆହତ ମାଆ ଓ ପୁଅଙ୍କୁ ଭେଟିଛନ୍ତି। ଉନ୍ନତ ଚିକିତ୍ସା ନିମନ୍ତେ ଦୁଇଜଣଙ୍କୁ ଜବଲପୁର ହସ୍ପିଟାଲ୍‌କୁ ରେଫର୍‌ କରାଯାଇଥିବା କଥା ସେ କହିଛନ୍ତି।

ସମ୍ବନ୍ଧିତ ଖବର