ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଏକ୍ଜିଟ୍ ପୋଲକୁ ନେଇ ଏବେ ସରଗରମ ବିତର୍କ ଚାଲିଛି। ଯଦି ଏକ୍ଜିଟ୍ ପୋଲ ମେ ୨୩ରେ ସତ୍ୟ ସାବ୍ୟସ୍ତ ହେବ, ତା’ହେଲେ କେତେକ ରାଜ୍ୟରେ ଅସ୍ଥିରତା ବଢ଼ିବ ବୋଲି କୁହାଯାଉଛି । ବିଜେପି ତଥା ଏନ୍ଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କେନ୍ଦ୍ରରେ କ୍ଷମତାକୁ ଫେରିଲେ ପ୍ରଥମେ ମଧ୍ୟପ୍ରଦେଶ ଏବଂ ପରେ କର୍ଣ୍ଣାଟକ ସରକାର ପ୍ରତି ବିପଦ ବଢ଼ିଯିବ। କର୍ଣ୍ଣାଟକରେ କଂଗ୍ରେସ ଏବଂ ଜେଡିୟୁର ମେଣ୍ଟ ସରକାର ଚାଲିଥିବା ବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଏସ୍ପି, ବିଏସ୍ପି ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଉପରେ ନିର୍ଭର କରି ଚାଲିଛି। କର୍ଣ୍ଣାଟକରେ ଗତ ବର୍ଷ ବିଜେପି ସବୁଠାରୁ ବଡ଼ ଦଳ ଭାବେ ସାମ୍ନାକୁ ଆସିଥିଲେ ମଧ୍ୟ କଂଗ୍ରେସ ସେଠାରେ ଜେଡିୟୁ ସହ ହାତ ମିଳାଇବାରୁ ମେଣ୍ଟ ସରକାର ସମ୍ଭବ ହୋଇଥିଲା। ରାଜ୍ୟର ୨୨୫ ଆସନରୁ ବିଜେପି ୧୧୨ଟି ଆସନରେ ବିଜୟୀ ହୋଇଥିଲା ଏବଂ ଜଣେ ସ୍ବାଧୀନ ବିଧାୟକ ଏବଂ କେପିଜି ବିଧାୟକଙ୍କ ସମର୍ଥନ ବିଜେପିକୁ ମିଳିଥିଲା। ବିଜେପିକୁ ସରକାର ଗଠନ ପାଇଁ ଆଉ ୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ଅନ୍ୟପକ୍ଷରେ କ୍ଷମତାସୀନ ମେଣ୍ଟରେ ଏବେ ଜେଡିଏସ୍ର ୩୭ ଏବଂ କଂଗ୍ରେସର ୭୮ ଜଣ ବିଧାୟକ ଅଛନ୍ତି। ବିଏସ୍ପିର ଜଣେ ବିଧାୟକଙ୍କ ସମର୍ଥନ ମଧ୍ୟ ମେଣ୍ଟ ସରକାର ପ୍ରତି ରହିଛି।
କର୍ଣ୍ଣାଟକରେ କଂଗ୍ରେସର ୪ ଜଣ ବିଧାୟକ ବିଗତ କିଛି ମାସ ହେଲା ଦଳ ବିରୋଧୀ ବୟାନ ଦେବା ସହ ସରକାର ବିରୋଧରେ ଲଗାତାର ବିଷୋଦଗାର ଜାରି ରଖିଥିବାରୁ ମେ ୨୩ ପରେ ସେମାନଙ୍କ ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜେଡିଏସ୍ରେ ମଧ୍ୟ ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ବଢ଼ିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୬ ଥିବା ବେଳେ କଂଗ୍ରେସ ପାଖରେ ୧୧୩ ବିଧାୟକ ଅଛନ୍ତି। କଂଗ୍ରେସ ସରକାରକୁ ବାହାରୁ ୪ ଜଣ ସ୍ବାଧୀନ, ୨ ଜଣ ବିଏସ୍ପି ଏବଂ ଜଣେ ଏସ୍ପି ବିଧାୟକ ସମର୍ଥନ କରୁଛନ୍ତି। ଏବେ ବିଜେପି ମଧ୍ୟପ୍ରଦେଶର କମଳନାଥ ସରକାର ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଦାବି କରିଛି। ଯଦି କେନ୍ଦ୍ରରେ ପୁଣି ଥରେ ବିଜେପି ସରକାର ଗଠନ କରିବ ତା’ହେଲେ ମଧ୍ୟପ୍ରଦେଶରେ କିଛି ବି ଘଟିପାରେ। ମଧ୍ୟପ୍ରଦେଶ ରାଜନୀତିରେ ଏବେ ଛକାପଂଝା ଆରମ୍ଭ ହୋଇଗଲାଣି ଏବଂ ଏହା ଆଗକୁ କେଉଁ ରୂପ ନେବ ତାହା ମେ’ ୨୩ର ପରିଣାମ ଉପରେ ନିର୍ଭର କରୁଛି।
ମଧ୍ୟପ୍ରଦେଶ, କର୍ଣ୍ଣାଟକ ସରକାର ପ୍ରତି ସଙ୍କଟ
ନିର୍ବାଚନ ପରିଣାମ ଉପରେ ନଜର
/sambad/media/post_attachments/wp-content/uploads/2019/05/kamal_nath_and_h_d_kumaraswamy_1558407886.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)