ପୁରୀରେ ମଧ୍ୟପ୍ରଦେଶର ଯୁବତୀଙ୍କ ପୋଡା ମୃତଦେହ ମିଳିବା ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ସାଧ୍ବୀ ପ୍ରଜ୍ଞା ସିଂହ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ପୁରୀରେ ମିଳିବା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ | ସମୁଦ୍ର କୂଳରୁ ସନ୍ଦେହଜନକ ଅବସ୍ଥାରେ ଏହି ଯୁବତୀଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ତାଙ୍କର ପରିବାର ସଦସ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ମଧ୍ୟ ଭେଟିଛନ୍ତି | ଆଉ ସେମାନଙ୍କ ସହ ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ମଧ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଏହି ଯୁବତୀଙ୍କ ସମ୍ପର୍କୀୟମାନେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଆଶଙ୍କା କରୁଥିବାବେଳେ ଏହି ଘଟଣାର ଗମ୍ଭୀରତାକୁ ଦେଖି ମଧ୍ୟପ୍ରଦେଶର ଡିଜିପି ସୁଧୀର ସାକ୍ସେନା ଓଡିଶାର ଡିଜିପିଙ୍କ ସହ ଆଲୋଚନା କରିବା ପରେ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ବିନାର ଏହି ଯୁବତୀଙ୍କ ମୃତଦେହ ମିଳିବା ପରେ ସାଂସଦ ପ୍ରଜ୍ଞା ସିଂହ ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ଭେଟିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ପୋଲିସ ଏହି ଘଟଣାର ଗୁରୁତର ସହ ତଦନ୍ତ କରୁନଥିବା ବେଳେ ଯୁବତୀଙ୍କ ମୃତଦେହ ଅର୍ଦ୍ଧ ନଗ୍ନ ଅବସ୍ଥାରେ ମିଳିଛି। ଅଧା ଜଳିଯାଇଥିବା ଶରୀର ଏବଂ ମୁହଁ ଜଳି ଯାଇଛି। କେହି ଜଣେ ଅମାନବୀୟ ଢଙ୍ଗରେ ଯୁବତୀଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରିଥିବାର ତାଙ୍କର ସନ୍ଦେହ ହେଉଛି ବୋଲି ସାଂସଦ କହିଛନ୍ତି। ସେଥିପାଇଁ ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ହେବା ଉଚିତ। ମଧ୍ୟପ୍ରଦେଶ ପୁଲିସ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏହି ପ୍ରସଙ୍ଗରେ ରାଜ୍ୟର ଡିଜିପି ସୁଧୀର ସାକ୍ସେନା ଓଡିଶା ଡିଜିପିଙ୍କ ସହ ଆଲୋଚନା କରିଛନ୍ତି। ଉଲ୍ଲେଖ ଥାଉ କି ପୁରୀର ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡ୍‌ରେ ଥିବା ଶାନ୍ତି ପ୍ୟାଲେସରୁ ‌ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହେବା ସମ୍ପର୍କରେ ସମୁଦ୍ର କୂଳ ଥାନାରେ ଅଭିଯୋଗ ହୋଇଥିଲା। ମଧ୍ୟପ୍ରଦେଶର ସାଗର ଗାଁର ପ୍ରହଲ୍ଲାଦ କୁସ୍ବାଙ୍କ ଝିଅ ରାଧିକା କୁସ୍ବା ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହା ପରେ ଗତ ଶନିବାର ଦିନ ପୁରୀ ପେଣ୍ଠକଟା ମେରାଇନ୍‌ ଥାନା ବାଲିଗୁଆଳି ଗାଁ ନିକଟ ବେଳାଭୂମିରୁ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର