ମଧ୍ୟପ୍ରଦେଶ ପୁଲିସର ବର୍ବରତା, ହାଜତରେ କୃଷକଙ୍କୁ ପିଟିପଟି ମାରିଦେଲେ, ୬ ପୁଲିସ ନିଲମ୍ବିତ

ଭୋପାଳ: ମଧ୍ୟପ୍ରଦେଶ ପୁଲିସ ଅତି ବର୍ବର କାଣ୍ଡ ଘଟାଇଛି। ମଧ୍ୟପ୍ରଦେଶର ଗ୍ବାଲିଅର ଜିଲ୍ଲା ଅଧୀନସ୍ଥ ବେଲଗଡ଼ ଥାନା ହାଜତରେ ଜଣେ କୃଷକଙ୍କୁ ପିଟିପିଟି ମାରିଦିଆଯାଇଛି। କୃଷକଙ୍କ ଅଭିଯୋଗ ରଖିବାପାଇଁ ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ମଗାଯାଇଥିଲା। ସେ ଲାଞ୍ଚ ନଦେବାରୁ ତାଙ୍କୁ ଡ୍ୟୁଟିରେ ଥିବା ପୁଲିସମାନେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଘଟଣାରେ ଏବେ ତଦନ୍ତ ଆରମ୍ଭ ହୋଇଛି ଏବଂ ମାମଲାରେ ଏଏସ୍‌ଆଇଙ୍କ ସମେତ ୬ ପୁଲିସ ନିଲମ୍ବିତ ହୋଇଛନ୍ତି।

ସୂଚନାନୁଯାୟୀ ମୃତ କୃଷକଙ୍କ ନାମ ସୁରେଶ ରାୱତ। ଗ୍ବାଲିଅର ଜିଲ୍ଲା ଅଧୀନସ୍ଥ ବଜ୍‌ନା ଗ୍ରାମରେ ତାଙ୍କ ଘର। ସୁରେଶଙ୍କ ଭାଇ ଅତଲଫ୍‌ ରାୱତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସାନଭାଇଙ୍କର ଖେମୁ ଶାକ୍ୟ ନାମକ ଜଣେ ବ୍ୟକ୍ତିଙ୍କ ସହ ଜମି ଚିହ୍ନଟକୁ ନେଇ ବଚସା ହୋଇଥିଲା। ଉଭୟ ବେଲଗଡ଼ ଥାନାରେ ପହଞ୍ଚି ପରସ୍ପର ବିରୋଧରେ ଏଫ୍‌ଆଇଆର ଦେଇଥିଲେ। ଉପସ୍ଥିତ ପୁଲିସ ଅଧିକାରୀମାନେ ସୁରେଶଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲେ। କିନ୍ତୁ ସୁରେଶଙ୍କ ଅଭିଯୋଗ ରଖିବାପାଇଁ ମନା କରିଦେଇଥିଲେ। ସୁରେଶଙ୍କ ଅଭି‌ଯୋଗ ରଖିବାପାଇଁ ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ମଗାଯାଇଥିଲା। କିନ୍ତୁ ସୁରେଶ ଲାଞ୍ଚ ଦେବାକୁ ମନା କରିଦେବାରୁ ତାଙ୍କୁ ହାଜତରେ ପିଟିପିଟି ମାରି ଦିଆଯାଇଛି ବୋଲି ଭାଇ ଅତଲଫ୍‌ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପୁଲିସ ତାଙ୍କ ଭାଇଙ୍କୁ ପୁଲିସ ଜିପ୍‌ରେ ବସାଇ ହସ୍ପିଟାଲ୍‌ରେ ନେଇ ଯାଉଥିବାର ସେ ଦେଖିଥିଲେ। ଏହାଦେଖି ସେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା‌ କରିବାପରେ ପୁଲିସମାନେ ସେଠାରୁ ଚମ୍ପଟ ମାରିଥିଲେ। ସୁରେଶ ରାୱତଙ୍କ ଗ୍ରାମବାସୀ ରାସ୍ତା ଉପରେ ତାଙ୍କ ମର ଶରୀର ରଖି ପ୍ରାୟ ୮ ଘଣ୍ଟା ଧରି ରାସ୍ତା ରୋକ କରିଥିଲେ। ପରେ ଗ୍ବାଲିଅର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ୬ ପୁଲିସଙ୍କର ନିଲମ୍ବନ ଘୋଷଣା କରିବା‌ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅତଲଫ୍‌ ସିଂହ ରାୱତଙ୍କ ଅଭିଯୋଗ କ୍ରମେ ଏଏସ୍‌ଆଇ ବିଜୟ ରାଜପୁତ ଏବଂ ୫ ଜଣ କନେଷ୍ଟବଳଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୩୪ ଅଧୀନରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର