ନିମନ୍ତ୍ରଣ ପଠାଇଥିବା ମାଦି ଶର୍ମା କିଏ?

ମାଦି ଶର୍ମାଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ : ୟୁରୋପୀ ସଂଘ ସଂସଦର ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତ ଏବେ ମାଦି ଶର୍ମା ଏବଂ ତାଙ୍କ ଏନ୍‌ଜିଓ ୱେଷ୍ଟ୍‌ (ଓମେନ୍ସ ଇକୋନୋମିକ୍‌ ଆଣ୍ଡ୍‌ ସୋସିଆଲ ଥିଙ୍କ୍‌ଟ୍ୟାଙ୍କ୍‌) ଉପରେ ଫୋକସ୍‌ ‌କେନ୍ଦ୍ରିଭୂତ କରିଛି। ଇୟୁ ପ୍ରତିନିଧ ଦଳଙ୍କୁ କଶ୍ମୀର ଗସ୍ତ ପାଇଁ ନିମନ୍ତ୍ରଣ ପଠାଇଥିଲେ ମାଦି ଶର୍ମା। ସେ ଇୟୁ ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ସେମାନଙ୍କୁ ମୋଦୀଙ୍କ ସହ ସାକ୍ଷାତ କରାଇଦେବେ ଏବଂ କଶ୍ମୀର ଗସ୍ତର ବ୍ୟବସ୍ଥା କରାଇବେ। ତେବେ ଶର୍ମାଙ୍କ ଦ୍ବାରା ପରିଚାଳିତ ମାଦି ଗ୍ରୁପ୍‌ ଅନ୍ତର୍ଜାତୀୟ ଘରୋଇ ‌କ୍ଷେତ୍ର ଏବଂ ନନ୍‌-ପ୍ରଫିଟ୍‌ କମ୍ପାନିମାନଙ୍କର ଏକ ନେଟୱର୍କ ବୋଲି ବିଶ୍ବାସ କରାଯାଉଛି। ଶର୍ମା ୟୁରୋପୀୟ ସଂଘର ୟୁରୋପୀୟ ଅର୍ଥନୈତିକ ଏବଂ ସାମାଜିକ କମିଟିର ଜଣେ ସଦସ୍ୟ। ତେବେ ଧାରା ୩୭୦ ଉଚ୍ଛେଦ କାହିଁକି କଶ୍ମୀର ମହିଳାଙ୍କ ପାଇଁ ଉଭୟ ବିଜୟ ଏବଂ ଚ୍ୟାଲେଂଜ ବୋଲି ସେ ଇପି ଟୁଡେ’ରେ ଏକ ସ୍ତମ୍ଭ ଲେଖିଥିଲେ।

ମାଦି ଶର୍ମାଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତ ପ୍ରସଙ୍ଗରେ କଂଗ୍ରେସ ଆଜି ପୁଣିଥରେ ସରକାରଙ୍କୁ ଘେରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବାକୁ ଚାହୁଛନ୍ତି ଏବଂ ଏହାଦ୍ବାରା ଭାରତର ପୂର୍ବନୀତିକୁ ବଦଳାଇ ଦିଆଯାଇଛି ବୋଲି କଂଗ୍ରେସ କହିଛି। ମୋଦୀ ସରକାର କଶ୍ମୀର ମାମଲାରେ ସବୁଠୁ ବଡ଼ ପାପ କରିଛନ୍ତି ବୋଲି କଂଗ୍ରେସ କହିଛି। ୟୁରୋପୀୟ ସାଂସଦଙ୍କୁ କଶ୍ମୀର ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିବା ମାଦି ଶର୍ମା କିଏ ଏବଂ ଏହି ମହିଳାଙ୍କ ଏନ୍‌ଜିଓ ସହ ବିଜେପିର କିଭଳି ସମ୍ପୃକ୍ତି ରହିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କେଉଁ କ୍ଷମତା ବଳରେ ‌ମାଦି ଶର୍ମା ଇୟୁ ପ୍ରତିନିଧି ଦଳଙ୍କ ସହ ମୋଦୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ସ୍ଥିର କରିଥିଲେ ଏବଂ ଭାରତ ସରକାର କାହିଁକି ଏହାକୁ ସମର୍ଥନ କରିଛନ୍ତି ତାହାର ଜବାବ ଦେବାକୁ ହେବ ବୋଲି କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର