ଚେନ୍ନାଇ: ତାମିଲନାଡ଼ୁ ମେଡିକାଲ କଲେଜଗୁଡ଼ିକରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୭.୫ ପ୍ରତିଶତ କୋଟା ବ୍ୟବସ୍ଥାକୁ ମାଡ୍ରାସ ହାଇକୋର୍ଟ ସମର୍ଥନ କରିଛନ୍ତି। ମୁଖ୍ୟ ବିଚାରପତି ମୁନୀଶ୍ବର ନାଥ ଭଣ୍ଡାରୀ ଓ ଜଷ୍ଟିସ୍ ଡି ଭାରତ ଚକ୍ରବର୍ତ୍ତୀଙ୍କ ଖଣ୍ଡପୀଠ ପାଞ୍ଚବର୍ଷରେ ଏହି କୋଟା ବ୍ୟବସ୍ଥାର ସଫଳତା ଉପରେ ସମୀକ୍ଷା କରିବା ପାଇଁ ଆଦେଶ ଦେଇଛନ୍ତି। ରାୟର ବିଶଦ ବିବରଣୀ ଏପର୍ଯ୍ୟନ୍ତ ମିଳିନାହିଁ। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ହାଇକୋର୍ଟଙ୍କ ଆଦେଶନାମାକୁ ସ୍ବାଗତ କରିବା ସହ ଏ କୋଟା ସାମାଜିକ ନ୍ୟାୟର ଏକ ରୂପ ବୋଲି କହିଛନ୍ତି। ଶାସକଦଳ ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ (ଡିଏମ୍କେ) ପକ୍ଷରୁ କୁହାଯାଇଛି ଯେ ଏହି କୋଟା ବ୍ୟବସ୍ଥା ଆର୍ଥିକ ଦୁର୍ବଳ ବର୍ଗର ମେଡିକାଲ ଆଶାୟୀଙ୍କ ସ୍ବପ୍ନକୁ ସାକାର କରିବ। କୋଟାର ସମୀକ୍ଷା କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବା ସହ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷା ମାନର ଉନ୍ନତି ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ୬ଷ୍ଠରୁ ୧୨ଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ପଢ଼ିଥିବେ ଏବଂ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ କୋଟା ପାଇଁ ଯୋଗ୍ୟ ବିବେଚିତ ହେବେ।
ନିଟ୍ ଉଚ୍ଛେଦ କରିବା ପାଇଁ ବିଫଳ ହେବା ପରେ ପୂର୍ବତନ ଏଆଇଏଡିଏମ୍କେ ସରକାର ୨୦୨୦ରେ ଏହି କୋଟା ବ୍ୟବସ୍ଥାର ପ୍ରଚଳନ କରିଥିଲେ। ସରକାରୀ ସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ଶିକ୍ଷା ପାଇଁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବାକୁ ଏହି ସରକାର ଏକ ବିଲ୍ ପାସ୍ କରିଥିଲେ। ଏଆଇଏଡିଏମ୍କେ ସରକାର ଏହି କୋଟା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇଥିଲେ। ଡିଏମ୍କେ ସରକାର ଦ୍ବିତୀୟ ଥର ପାଇଁ ନିଟ୍ ଉଚ୍ଛେଦ ଲାଗି ବିଲ୍ ପାସ୍ କରିବା ସହ କେବଳ ୧୨ଶ ଶ୍ରେଣୀ (+୨)ର ମାର୍କକୁ ମେଡିକାଲ ଆଡ୍ମିସନ ପାଇଁ ଗ୍ରହଣ କରାଯିବାକୁ ନିୟମ କରିଥିଲେ। ଏ ବିଲ୍ଟି ଏବେ ରାଜ୍ୟପାଳ ଆର୍ଏନ୍ ରବିଙ୍କ ପାଖରେ ପଡ଼ିରହିଛି। ତେବେ କୋଟାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଅନେକ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ତରଫରୁ ଡିଏମ୍କେ ବିଧାୟକ ତଥା ଓକିଲ ପି ୱିଲସନ ମାମଲା ଲଢ଼ୁଥିବା ବେଳେ ଅପର ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଲଢ଼ୁଥିଲେ। ହାଇକୋର୍ଟଙ୍କ ରାୟ ଡିଏମ୍କେ ପାଇଁ ଏକ ବଡ଼ ବିଜୟ ବୋଲି ୱିଲସନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/s65fh4f65h4f6h54h65hfhfhfhf.jpg)