ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ସିବିଆଇର ତଦନ୍ତ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀଙ୍କ ଦ୍ୱାରା ଠିକାଦାର ସଂସ୍ଥାକୁ ଦିଆଯାଇଥିବା ରାସ୍ତାକାମରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ।

ବିରୋଧୀ ଦଳ ଡିଏମ୍‌କେ ପକ୍ଷରୁ ଆଗତ ଏକ ପିଟିସନର ବିଚାର କରି ଜଷ୍ଟିସ୍‌ ଏ.ଡି.ଜଗଦିଶ ଚନ୍ଦିରା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏ ମାମଲାରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯାଇଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟକୁ ଗ୍ରହଣ ନ କରି ଏହି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ରାସ୍ତା ନିର୍ମାଣ ଲାଗି ଦିଆଯାଇଥିବା ଠିକାକୁ ନେଇ ହୋଇଥିବା ଦୁର୍ନୀତିର ଠିକଣା ତଦନ୍ତ ଭିଜିଲାନ୍ସ କରି ନାହିଁ। ଏଥିସହ ଭିଜିଲାନ୍ସ ପକ୍ଷରୁ ଏ ନେଇ ସଠିକ ପଦକ୍ଷେପ ନିଆଯାଇ ନାହିଁ ବୋଲି ଅଦାଲତ ଅନୁଭବ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ ଦୁର୍ନୀତିରେ ଜଡ଼ିତ ଥିବାରୁ ଭିଜିଲାନ୍ସ ଠିକ୍‌ ଭାବେ ତଦନ୍ତ କରି ନାହିଁ ଦର୍ଶାଇ ଡିଏମ୍‌କେର ସାଂଗଠନିକ ସଂପାଦକ ଆର୍‌.ଏସ୍‌.ଭାରତୀ ମାଡ୍ରାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ।

ଜଷ୍ଟିସ୍‌ ଚନ୍ଦିରା ରାଜ୍ୟ ଭିଜିଲାନ୍ସକୁ ଦୁର୍ନୀତି ତଦନ୍ତ ସଂପର୍କିତ ସମସ୍ତ ଦସ୍ତାବିଜ ୭ ଦିନ ମଧ୍ୟରେ ସିବିଆଇକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର