୧୮ ଏଆଇଡିଏମକେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ, କୋର୍ଟରେ ନିଷ୍ପତ୍ତି ହୋଇପାରିଲା ନାହିଁ, ସରକାର ପ୍ରତି ବିପଦ ନାହିଁ

ଚେନ୍ନାଇ : ତାମିଲନାଡୁର ୧୮ ଜଣ ଏଆଇଡିଏମକେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାରେ ମାଡ୍ରାସ ହାଇକୋର୍ଟ ଖଣ୍ଡିତ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏମ.ସୁନ୍ଦରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏ ନେଇ କୌଣସି ନିଷ୍ପତ୍ତିରେ ପହଞ୍ଚିପାରିନାହାନ୍ତି । ଏହା ଫଳରେ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଧାନସଭାରେ ସ୍ଥିତାବସ୍ଥା ବଜାୟ ରହିବ । ଆଜି ହୋଇଥିବା ଶୁଣାଣିରେ ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଉକ୍ତ ୧୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ତାମିଲନାଡୁ ବିଧାନସଭା ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ କାଏମ ରଖିଥିବାବେଳେ ଜଷ୍ଟିସ ଏମ.ସୁନ୍ଦର ବିଧାୟକଙ୍କ ସଭ୍ୟପଦ ରଦ୍ଦ ବିରୋଧରେ ରାୟ ଶୁଣାଇଥିଲେ । ଦୁଇଜଣିଆ ବେଞ୍ଚ ବିଭାଜିତ ରାୟ ଶୁଣାଇଥିବାରୁ ଏବେ ଏହାର ନିଷ୍ପତ୍ତି ଏକ ୩ ଜଣିଆ ବେଞ୍ଚରେ କରାଯିବ । ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀଙ୍କ ନିବାସରେ ମନ୍ତ୍ରୀପରିଷଦର ଏକ ଜରୁରୀ ବୈଠକ ଚାଲିଥିଲା । କୋର୍ଟ ଯଦି ବିଧାୟକଙ୍କ ସଭ୍ୟପଦକୁ ରଦ୍ଦ ନିଷ୍ପତ୍ତିକୁ ଖାରଜ କରିଦେଇଥାନ୍ତେ, ତେବେ ସରକାରଙ୍କୁ ଏକ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପଡିଥାନ୍ତା । ଅର୍ଥାତ ୧୮ ଜଣ ବିଧାୟକ ନିଜର ସଭ୍ୟପଦ ଫେରିପାଇଥିଲେ ସରକାର ସଂଖ୍ୟାଲଘୁ ହେବାର ଆଶଙ୍କା ଥିଲା ।

ସମ୍ବନ୍ଧିତ ଖବର