ମାଡ୍ରାସ ହାଇକୋର୍ଟଙ୍କ ପ୍ରଶ୍ନ: ପୁରୁଷଙ୍କ ଯୌନକ୍ଷୁଧା ଦୁଷ୍କର୍ମ ବୃଦ୍ଧିର କାରଣ?

ନୂଆଦିଲ୍ଲୀ: ପ୍ରତିବର୍ଷ ମହିଳାମାନଙ୍କ ବିରୋଧରେ ଯୌନ ଅପରାଧ ବଢ଼ିବାରେ ଲାଗିଛି। ଅପରାଧର ପରିମାଣ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏଥିରେ ଲଗାମ ଲଗାଇବା ବେଶ୍‌ କଷ୍ଟସାଧ୍ୟ ହୋଇପଡ଼ିଛି। ତେବେ ଏହି ଯୌନ ଅପରାଧ ରୋକିବା ଲାଗି କ’ଣ ପଦକ୍ଷେପ ନିଆଯାଇପାରିବ ବୋଲି ଆଜି ମାଡ୍ରାସ ହାଇକୋର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଓ ଏଥିସହ ଏନସିଡବ୍ଲ୍ୟୁ (ନ୍ୟାସନାଲ କମିସନ ଫର ଓମେନ୍‌)କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି । ତେବେ ଲିଙ୍ଗଗତ ତାରତମ୍ୟ ନା’ ପୁରୁଷମାନଙ୍କ ମଧ୍ୟରେ ଯୌନ କ୍ଷୁଧା ବୃଦ୍ଧି ପାଇବାକୁ ନେଇ ଯୌନ ଅପରାଧ ବୃଦ୍ଧି ପାଉଛି ବୋଲି ମାଡ୍ରାସ ହାଇକୋର୍ଟର ବିଚାରପତି ଏନ କିରୁବାକରନ କେନ୍ଦ୍ର ଏବଂ ତାମିଲନାଡ଼ୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ୨୦୧୮ ଜାନୁଆରୀ ୧୦ ସୁଦ୍ଧା ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ କୋର୍ଟ କହିଛନ୍ତି। ଜଣେ ୬୦ ବର୍ଷୀୟା ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଦୁଇଜଣ ଅଭିଯୁକ୍ତ ଆଣ୍ଡ୍ର୍ୟୁ ଏବଂ ପ୍ରଭୁଙ୍କ ଜାମିନ ଆବେଦନର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି। ଉକ୍ତ ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି ଯେ ଯୌନ ନିର୍ଯାତନା ଦ୍ୱାରା ଜଣେ ପୀଡ଼ିତାଙ୍କୁ ଯେଉଁ ମାନସିକ ଆଘାତ ଲାଗିଥାଏ ତାହା ସାରା ଜୀବନ ପୀଡ଼ିତାକୁ କଷ୍ଟ ଦେଇଥାଏ। ଏହା ତା’ର ସମ୍ମାନ ଏବଂ ଗୋପନୀୟତା ହାନୀ କରିଥାଏ। ତେବେ ଏହି ମର୍ମରେ କୋର୍ଟ କହିଛନ୍ତି ଏଭଳି ଜଘନ୍ୟ କାଣ୍ଡ ଘଟାଉଥିବା ଅପରାଧୀମାନଙ୍କୁ ମଣିଷ କୁହାଯିବନି କି ପଶୁ ମଧ୍ୟ କୁହାଯିବନି କାରଣ ପଶୁମାନେ ମଧ୍ୟ ବେଶ୍‌ ଦୟାଳୁ ହୋଇପାରନ୍ତି। ନିର୍ଭୟା ଗଣଦୁଷ୍କର୍ମ ପରେ ଯୌନ ଅପରାଧ ପାଇଁ କଠୋର ଦଣ୍ଡ ଘୋଷଣା ହୋଇଥିଲେ ବି ଅପରାଧ ବଢ଼ି ବଢ଼ି ଚାଲିଛି। ତେଣୁ ଏ ସମସ୍ତ ଅପରାଧକୁ ମନସ୍ତାତ୍ତ୍ୱିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରିବା ଲାଗି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର