ନିର୍ଦ୍ଦେଶକ ଏ ଆର୍‌ ମୁରୁଗାଦୋସଙ୍କୁ ୨୭ ତାରିଖଯାଏଁ ଗିରଫ କରାଯାଇପାରିବ ନାହିଁ 

ଚେନ୍ନାଇ: ଦୁଇ ଦିନଭିତରେ ଶହେ କୋଟିର ବ୍ୟବସାୟ କରିଥିବା ବ୍ଲକବଷ୍ଟର ତାମିଲ୍‌ ସିନେମା ‘ସରକାର’ର ନିର୍ଦ୍ଦେଶକ ଏ ଆର୍‌ ମୁରୁଗାଦୋସ୍‌ଙ୍କୁ ଆଗାମୀ ୨୭ ତାରିଖଯାଏଁ ଗିରଫ ନ କରିବାଲାଗି ମାଦ୍ରାସ୍‌ ଉଚ୍ଚ ନ୍ୟାୟାଳୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଗତକାଲି  ଆଗୁଆ ଜାମିନ୍‌ ଲାଗି ମାଦ୍ରାସ୍‌ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି  ମାଦ୍ରାସ୍‌ ଉଚ୍ଚ ନ୍ୟାୟାଳୟ  ଏହି ଆଦେଶ ଦେଇଥିବାଜଣାଯାଇଚି। ଅମୀର ଖାନ୍‌ ଷ୍ଟାର୍‌ ସୁପରହିଟ୍‌ ମୁଭି ‘ଗଜିନୀ’ର ନିର୍ଦ୍ଦେଶକ ହେଲେ  ଏ ଆର୍‌ ମୁରୁଗାଦୋସ୍‌ ।

ମିଳିଥିବା ସୂଚନା ଅନୁଯାୟୀ ପଅର ଦିନ ରାତିରେ ଏ ଆର୍‌ ମୁରୁଗାଦୋସ୍‌ଙ୍କ ଘରକୁ ପୁଲିସ୍‌ ଆସିଥିଲା ମାତ୍ର ସେ ଘରେ ନଥିବା ହେତୁ ଫେରିଯାଇଥିଲା। ଏଥିରେ ବିଚଳିତ ହୋଇ    ‘ସରକାର’ର ନିର୍ଦ୍ଦେଶକ ଏ ଆର୍‌ ମୁରୁଗାଦୋସ୍‌ ଆଗୁଆ ଜାମିନ୍‌ ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ‘ସରକାର’ରେ ଜଣେ ମହିଳାଙ୍କ ନାମ ଜୟଲଲିତା ରଖାଯାଇଛି ,ଯାହାକୁନେଇ ଶାସକ ଏ ଆଇ ଡି ଏମ୍‌ କେ ପକ୍ଷରୁ ଆପତ୍ତି ଉଠିଥିଲା।

ତା’ଛଡ଼ା ସେଥିରେ କେତେକ ଆପତ୍ତିଜନକ ସଂଳାପ ଥିବା ବି ଅଭିଯୋଗ ହୋଇଥିଲା। ଏହାକୁ ନେଇ ଏ ଆଇ ଡି ଏମ୍‌ କେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଏସବୁ ବିବାଦୀୟ ଦୃଶ୍ୟକୁ ବାଦ୍‌ ଦେବା ଲାଗି ଏବଂ ସଂଳାପକୁ ମ୍ୟୁଟ୍‌ କରିବାଲାଗି ନିର୍ମାତା ରାଜି ହୋଇଛନ୍ତି । ଏହି ସିନେମାରେ ତାମିଲ ସୁପରଷ୍ଟାର୍‌ ବିଜୟ ନାୟକ ଭୂମିକାରେ ଅଛନ୍ତି।

 

ସମ୍ବନ୍ଧିତ ଖବର