ଦିବ୍ୟାଙ୍ଗଙ୍କ ପାଇଁ ନିଆରା ଚେୟାର ନିର୍ମାଣ କଲେ ଆଇଆଇଟି ମାଡ୍ରାସର ଛାତ୍ର-ଛାତ୍ରୀ

ଚେନ୍ନାଇ: ଭାରତର ପ୍ରଥମ ଷ୍ଟାଣ୍ଡିଙ୍ଗ ହ୍ୱିଲଚେୟାର ନିର୍ମାଣ କରିଛନ୍ତି ମାଡ୍ରାସ ଆଇଆଇଟିର ଛାତ୍ରଛାତ୍ରୀ | ଫୋଏନିକ୍ସ ମେଡିକାଲ ସିଷ୍ଟମ ସହ ମିଶି ଏହି ନିଆରା ଚେୟାର ପ୍ରସ୍ତୁତ କରାଯାଇଥିବାବେଳେ ଏହା ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଆଇଆଇଟି ମାଡ୍ରାସ ପକ୍ଷରୁ କୁହାଯାଇଛି | ଏହି ଚେୟାରର ବିଶେଷତ୍ୱ ହେଉଛି ଯେ ଦିବ୍ୟାଙ୍ଗ ଚାହିଁଲେ ବିନା କାହାର ସାହାଯ୍ୟରେ ଏହି ଚେୟାରକୁ ଉପରକୁ ଉଠାଇପାରିବେ | ଉଚ୍ଚ ସ୍ଥାନରେ ଥିବା କୌଣସି ବସ୍ତୁ ଆଣିବାକୁ ହେଲେ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ପଡିବ ନାହିଁ |

ନିଜେ ସେହି ସ୍ଥାନକୁ ଯାଇ ବଟନ ଚିପିବାମାତ୍ରେ ଏହି ଚେୟାରଟି ଉପରକୁ ଉଠିଯିବ | ଗୋଟିଏ ସ୍ଥାନରେ ବସି ମଧ୍ୟ ଜଣେ ଦିବ୍ୟାଙ୍ଗ ଚାହିଁଲେ ଏହି ଚେୟାରଟି ଉପରକୁ ଉଠିପାରିବ | ତେବେ ଆଇଆଇଟି ମାଡ୍ରାସର ମେକାନିକାଲ ଇଂଜିନିୟରିଂ ବିଭାଗ ପକ୍ଷରୁ ଏହି ଚେୟାର ପ୍ରସ୍ତୁତ କରାଯାଇଛି | କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାବରଚନ୍ଦ ଗେହ୍ଲଟ ଏହି ଚେୟାରକୁ ଲଞ୍ଚ କରିଛନ୍ତି |

ଭବିଷ୍ୟତରେ ଏହି ଚେୟାରକୁ ବଜାରକୁ ଛଡ଼ାଯିବ | ୟୁକେର କମ୍ପାନୀ ୱେଲକମ ମାଧ୍ୟମରେ ଏହି ପରୀକ୍ଷାମୂଳକ ଚେୟାରକୁ ପ୍ରସ୍ତୁତ କରାଯାଇ ବିକ୍ରୟ ପାଇଁ ଛଡ଼ାଯିବ | ତେବେ ସରକାରଙ୍କ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଚେୟାର ମାଗଣା ଯୋଗାଇଦିଆଯିବ |

ସମ୍ବନ୍ଧିତ ଖବର