ମଦୁରାଇ: ତାମିଲନାଡ଼ୁର ମଦୁରାଇ ସହର ଭାଣ୍ଡିୟୁର ନିକଟସ୍ଥ ଥିର୍ଥକାଡୁ ଗାଁରେ ରହୁଥିବା ପ୍ରାୟ ୩୬୦ ଦଳିତ ପରିବାର ଗତ ୪୦ ବର୍ଷ ହେଲା ବିଦ୍ୟୁତ, ପାନୀୟଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଜମି ପଟା ପ୍ରଦାନକୁ ନେଇ ନଗର ନିଗମ ଏବଂ ରାଜ୍ୟ ରାଜସ୍ୱ ବିଭାଗ ମଧ୍ୟରେ ଚାଲିଥିବା ଟଣାଓଟରା ଯୋଗୁଁ ବିଦ୍ୟୁତ, ପାନୀୟ ଜଳ, ରାସ୍ତା, ଡ୍ରେନେଜ୍ ଏବଂ ପରିମଳ ସୁବିଧା ବିନା ଏଠିକାର ଲୋକ ଜୀବନ ବିତାଉଛନ୍ତି। ଏହି ଅଞ୍ଚଳ ମଦୁରାଇ ସିଟି କର୍ପୋରେସନର ୩୮ ନଂ ୱାର୍ଡ଼ ଓ ମଦୁରାଇ ପୂର୍ବ ବିଧାନସଭା ଅନ୍ତର୍ଗତ ଆସୁଛି। ରାଜ୍ୟର ବାଣିଜ୍ୟିକ ଟିକସ ମନ୍ତ୍ରୀ ଏହି ଅଞ୍ଚଳର ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଥିର୍ଥକାଡୁ ଗ୍ରାମବାସୀଙ୍କ କଥା ସର୍ବଦା ଅକୁହା, ଅଶୁଣା ଏବଂ ଅଦୃଶ୍ୟ ରହିଯାଉଛି।

Advertisment

ପ୍ରତିଶ୍ରୁତି ଦେଇ ଠକି ଦେଲେ

ଅନେକ ଗରିବ ଦଳିତ ପରିବାର ବର୍ଷ ବର୍ଷ ଧରି ସହର ଉପକଣ୍ଠରେ ଅବସ୍ଥିତ ଅନୁର୍ବର ଜମିରେ ବସତି ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ସରକାର ସେମାନଙ୍କୁ ନଅ ଏକର ଜମି ପାଇଁ ପଟ୍ଟା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତବର୍ଷ ଡିସେମ୍ବରରେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ କେବଳ ୬୮ ପରିବାରକୁ ଇ-ପଟ୍ଟା ପ୍ରଦାନ କରିଥିଲେ। ପଟ୍ଟା ପ୍ରଦାନରେ ବିଳମ୍ବ ଯୋଗୁଁ ରାଜ୍ୟ ରାଜସ୍ୱ ବିଭାଗ ଦ୍ୱାରା ସୁବିଧା ବିକାଶ ପାଇଁ ସାଧାରଣ ଜମି ଅଞ୍ଚଳକୁ ନଗର ନିଗମକୁ ହସ୍ତାନ୍ତର କରିବାରେ ବାଧା ସୃଷ୍ଟି ହୋଇଥିଲା, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ମୌଳିକ ସୁବିଧା ପ୍ରଦାନ କରିବା ନେଇ ବିଳମ୍ବ ହେଉଛି। ଏଥିରେ ଅତିଷ୍ଠ ହୋଇ ଥିର୍ଥକାଡୁ ଗ୍ରାମବାସୀ ଏଥର ନିର୍ବାଚନ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି। ଆମେ ଆଗାମୀ କିଛି ଦିନ ମଧ୍ୟରେ ଚେନ୍ନାଇ ଯାଇ ବିଧାନସଭା ଅଭିମୁଖେ ଏକ ରାଲି କରିବାର ଯୋଜନା କରୁଛୁ ବୋଲି

ଏସ୍‌ସି ବାସିନ୍ଦା ସୁରକ୍ଷା କଲ୍ୟାଣ ସଂଘ ସଭାପତି ମୁଥାମିଲ ପାଣ୍ଡିଆନ୍‌ କହିଛନ୍ତି। ପାଣି ଯୋଗାଣ ବ୍ୟବସ୍ଥା ନଥିବାରୁ ୮୦ ଟଙ୍କା‌ ଦେଇ ୧୦୦ ଲିଟର ବିଶିଷ୍ଟ ବ୍ୟାରେଲ ବୋର୍‌ୱେଲ ପାଣି ଓ ମାଠିଆ ପିଛା ୧୫ ଟଙ୍କା ହିସାବରେ ପାନୀୟ ଜଳ ଆଣୁଛୁ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍‌ ଦିଆଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବାରୁ ଏହାକୁ ବ୍ୟବହାର କରାଯାଇପାରୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ୪୦ ବର୍ଷରେ ଗାଁରେ ଜଣେ ବି ସ୍ନାତକ କରିନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: Government Doctors Save Girl Life: ବିନା ଅପରେସନରେ କୁନି ଝିଅ ପେଟରୁ ବାହାରିଲା ଲୁହା ହୁକ୍, ସରକାରୀ ଡାକ୍ତର ସାଜିଲେ ଭଗବାନ