ମନ୍ତ୍ରୀପଦକୁ ନେଇ କଂଗ୍ରେସରେ ମତଭେଦ, ୩୦କୁ ଘୁଞ୍ଚିଲା ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ମୁମ୍ବାଇ : ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ପୁଣି ସ୍ଥଗିତ ରଖାଯାଇଛି ।  ମନ୍ତ୍ରୀମାନଙ୍କ ନାଁ ଚୂଡ଼ାନ୍ତ ହୋଇପାରୁ ନଥିବାରୁ ମଙ୍ଗଳବାରଦିନ ହେବାକୁ ଥିବା ସଂପ୍ରସାରଣ ଆପାତତଃ ଡିସେମ୍ବର ୩୦କୁ ଘୁଞ୍ଚେଇଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ନିଜର ମନ୍ତ୍ରୀ ତାଲିକା ଚୂଡ଼ାନ୍ତ କରିପାରୁ ନଥିବାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବିଳମ୍ବିତ ହେଉଛି । କଂଗ୍ରେସର ୧୦ ଜଣ ବିଧାୟକ ମନ୍ତ୍ରୀ ପଦ ପାଇବେ । କିନ୍ତୁ ଅଧିକାଂଶ ବିଧାୟକ ମନ୍ତ୍ରୀପଦ ପାଇଁ ଆଶାୟୀ ଥିବାରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରୁନାହିଁ । ଏହି ପ୍ରସଙ୍ଗରେ ଦଳୀୟ ବିଧାୟକ ଓ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ ମଧ୍ୟରେ ତିନି ଥର ବୈଠକ ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରୁନାହିଁ ।

ତିନି ମେଣ୍ଟ ସଦସ୍ୟ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଶିବସେନା ଓ ଏନସିପି ୧୧ଟି ଲେଖାଏଁ ଓ କଂଗ୍ରେସ ୧୦ଟି ମନ୍ତ୍ରୀ ପଦ ପାଇବ । ଏନସିପି ନେତା ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଛି ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗତ ନଭେମ୍ବର ୨୮ ତାରିଖରେ ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ କଂଗ୍ରେସ, ଶିବସେନା ଓ ଏନସିପିର ମୋଟ ୬ ଜଣ ମନ୍ତ୍ରୀ ଯଥା ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଶପଥ ନେଇଥିଲେ ।

ସମ୍ବନ୍ଧିତ ଖବର