ଆସନ୍ତା ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ, ଶପଥ ନେବେ ୩୬ ନୂଆ ମନ୍ତ୍ରୀ

ମୁମ୍ବାଇ : ଆସନ୍ତା ୩୦ ତାରିଖ ସୋମବାରଦିନ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ । ମନ୍ତ୍ରୀପଦକୁ ନେଇ କଂଗ୍ରେସରେ ଥିବା ଅଡ଼ୁଆ ତୁଟିବା ପରେ ସଂପ୍ରସାରଣ ପାଇଁ ପଥ ପରିଷ୍କାର ହୋଇଛି । ଏହି ଶପଥଗ୍ରହଣ ସମାରୋହ ମହାରାଷ୍ଟ୍ରର ବିଧାନଭବନଠାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେବେ ଏହି ସଂପ୍ରସାରଣ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ରାଜଭବନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ତିନି ମେଣ୍ଟ ସଦସ୍ୟ ଶିବସେନା,ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଶିବସେନାକୁ ମୋଟ ୧୬ଟି, ଏନସିପିକୁ ୧୪ଟି ଓ କଂଗ୍ରେସକୁ ୧୨ଟି ମନ୍ତ୍ରୀ ପଦ ମିଳିବ । ଏନସିପି ନେତା ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଛି । ତିନି ଦଳର ଦୁଇ ଜଣ ଲେଖାଏଁ ମନ୍ତ୍ରୀ ହୋଇସାରିଥିବାରୁ ଶିବସେନାର ଆଉ ୧୪ ଜଣ, ଏନସିପିର ୧୨ ଜଣ ଓ କଂଗ୍ରେସର ୧୦ ଜଣ ବିଧାୟକ ମନ୍ତ୍ରୀପଦ ପାଇବେ । ତେବେ କଂଗ୍ରେସକୁ ମଧ୍ୟ ଏକ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବ କି ନା ସେ ସଂପର୍କରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନକୁ ଦଳର ମହାରାଷ୍ଟ୍ର ସଭାପତି ବାଲା ସାହେବ ଥୋରାଟ ଏଡ଼ାଇଯାଇଛନ୍ତି ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗତ ନଭେମ୍ବର ୨୮ ତାରିଖରେ ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ କଂଗ୍ରେସ, ଶିବସେନା ଓ ଏନସିପିର ମୋଟ ୬ ଜଣ ମନ୍ତ୍ରୀ ଯଥା ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଶପଥ ନେଇଥିଲେ ।

ସମ୍ବନ୍ଧିତ ଖବର