କାନରେ କୁଞ୍ଚ ଥିବା ୯୫% ଲୋକ ହୃଦ୍‌ରୋଗରେ ଆକ୍ରାନ୍ତ: ମହାରାଷ୍ଟ୍ର ଡାକ୍ତର

ମହାରାଷ୍ଟ୍ର: କାନରେ କୁଞ୍ଚ ଥିବା ଲୋକ ହୃଦ୍‌ରୋଗରେ ଆକ୍ରାନ୍ତ ବୋଲି ମହାରାଷ୍ଟ୍ର ଜଣେ ଡାକ୍ତର କହିଛନ୍ତି। ମୁମ୍ବାଇ ଠାରୁ ୧୬୦ କିଲୋମିଟର୍‌ ଦୂର ମହଦ ଠାରେ ପ୍ରାକ୍‌ଟିସ୍‌ କରୁଥିବା ଡାକ୍ତର ହିମ୍ମତରାଓ ବାଓ୍ଵାସ୍କର୍‌ ତାଙ୍କ ପାଖକୁ ଆସୁଥିବା ଡାଇବେଟିସ୍‌, ହାଇପର୍‌ଟେନ୍‌ସନ୍‌ ଆଦି ବେମାରିରେ ଆକ୍ରାନ୍ତ ୮୮୮ ଜଣ ରୋଗୀଙ୍କୁ ଅଧ୍ୟୟନ କରି ଜାଣି ପାରିଛନ୍ତି ଯେ କାନରେ କୁଞ୍ଚ ଥିବା ୯୫% ବ୍ୟକ୍ତିଙ୍କର ହୃଦ୍‌ରୋଗ ସମସ୍ୟା ଅଛି। ସେ କହନ୍ତି: ୮୮୮ ଜଣ ରୋଗୀଙ୍କ ମଧ୍ୟରୁ ୫୦୮ ଜଣଙ୍କ କାନରେ କୁଞ୍ଚ ପଡ଼ିଥିଲା। ଏହି କୁଞ୍ଚକୁ ଡାକ୍ତରୀ ଭାଷାରେ ‘ଡାଏଗୋନାଲ୍‌ ଇଅର୍‌ଲବ୍‌ କ୍ରିଜ୍‌ (ଡିଇଏଲ୍‌ସି) କୁହାଯାଏ।

ସର୍ପ ଓ କଙ୍କଡ଼ାବିଛା ଦଂଶନ ଉପରେ କାମ କରି ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ଡାକ୍ତର ହିମ୍ମତରାଓଙ୍କର ବିଶ୍ୱାସ ଯେ ପରୀକ୍ଷା ନିରୀକ୍ଷା ପାଇଁ ସୁବିଧା ନ ଥିବା ଅଞ୍ଚଳରେ କାନ କୁଞ୍ଚ ରୋଗ ନିରୂପଣ କରିବା ନିମନ୍ତେ ସହାୟକ ହେବ। ସେ କହନ୍ତି: ଭାରତରେ ଛାତି ଯନ୍ତ୍ରଣାରେ ପୀଡ଼ିତ ଅଧିକାଂଶ ପାରିବାରିକ ଡାକ୍ତରଙ୍କ ପାଖକୁ ଯାଆନ୍ତି। ସମୟେ ସମୟେ ଆକସ୍ମିକ ମୃତ୍ୟୁ ପ୍ରଥମ ଓ ଶେଷ ହୃଦ୍‌ଘାତର ଲକ୍ଷଣ ହୋଇଥାଏ।

କାନ କୁଞ୍ଚରୁ ରୋଗ ନିରୂପଣ କରିବା ପଦ୍ଧତି ନୂଆ ନୁହେଁ। ସିଟି, ଏଞ୍ଜିଓ ଏବଂ ହାଇ-ସେନ୍‌ସିଟିଭିଟି ବ୍ଲଡ୍‌ ଏଞ୍ଜାଇମ୍‌ ଟେଷ୍ଟ୍‍ ଯୁଗ ପୂର୍ବରୁ ୭୦ ଦଶକର ପ୍ରାରମ୍ଭରେ ଆମେରିକୀୟ ଡାକ୍ତର ସାଣ୍ଡାର୍‌ସ୍‌ ଟି ଫ୍ରାଙ୍କ୍‌ କାନ ଓ ହୃତ୍‌ପିଣ୍ଡର ସମ୍ପୃକ୍ତି କଥା ଆବିଷ୍କାର କରିଥିଲେ।

ବାଇକୁଲ୍ଲାସ୍ଥିତ ଜେଜେ ହସ୍‌ପିଟାଲ୍‌ର ଗ୍ରାଣ୍ଟ୍‌ ମେଡିକାଲ୍‌ କଲେଜର ପୂର୍ବତନ ପ୍ରଫେସର୍‌ ଡାକ୍ତର ଅଲଫତ୍‌ ପଟେଲ୍‌ କହନ୍ତି: ହୃଦ୍‌ରୋଗ ସହ କାନ ଥଳାର ସମ୍ପର୍କ ଗୋଟାଏ ସାଧାରଣ ଜ୍ଞାନ ଭଳି କଥା। ଲୋକଙ୍କ ବୟସ ବଢ଼ି ରକ୍ତଚାପ ବୃଦ୍ଧି ପାଇଲେ କୁଞ୍ଚ କରିବାକୁ ଚର୍ବି ଟିସ୍ୟୁ ସବୁ ବଙ୍କେଇ ଯାଆନ୍ତି। ୬୦ କିଂବା ୭୦ ବର୍ଷିୟ ଲୋକମାନଙ୍କ କାନ ଥଳାରେ କୁଞ୍ଚ ଦେଖାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଉଚ୍ଚ ରକ୍ତଚାପ କିଂବା ହୃଦ୍‌ରୋଗ ହୋଇଥାଏ।

ସମ୍ବନ୍ଧିତ ଖବର