ଚାଷୀ ଆନ୍ଦୋଳନର ବର୍ଷ ପୂର୍ତ୍ତି: ହରିୟାଣାରେ ମହାପଞ୍ଚାୟତ

ନୂଆଦିଲ୍ଲୀ: ତିନି କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ଆଜି ବର୍ଷ ପୂର୍ତ୍ତି ଅବସରରେ କୃଷକମାନେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ହରିୟାଣାର ବାହାଦୁରଗଡ଼ରେ କୃଷକମାନେ ମହାପଞ୍ଚାୟତ କରିଛନ୍ତି। ଗାଜିପୁର ସୀମାରେ ବି ଚାଷୀ ଆନ୍ଦୋଳନର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଛି।

୨୦୦ ଚାଷୀ ସଂଗଠନକୁ ନେଇ ଗଠିତ ଏଆଇକେଏସ୍‌ସିସି (ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ ସହଯୋଗ କମିଟି) ୨୦୨୦ ନଭେମ୍ବର ୨୬-୨୭ ତାରିଖରେ ଆନ୍ଦୋଳନ ଓ ବନ୍ଦ ଡାକରା ଦେଇଥିଲା। କିନ୍ତୁ ଏହି ୨ ଦିନିଆ ଆନ୍ଦୋଳନ ବର୍ଷେ ପର୍ଯ୍ୟନ୍ତ ଲମ୍ବିଲା ଏବଂ ଏହା ଆହୁରି ବ୍ୟାପକ ହୋଇଛି। ଆଜି ଅମୃତସରର ଗିଲ୍‌ୱାଲି ଗ୍ରାମ ନିକଟସ୍ଥ ଏକ ଗୁରୁଦ୍ବାର ନିକଟରେ ବହୁ ସଂଖ୍ୟାରେ କୃଷକଙ୍କ ସମାଗମ ହୋଇଥିଲା। ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କୁ ସେଠାରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଅନ୍ୟପକ୍ଷେ ଦିଲ୍ଲୀ ଉତ୍ତରପ୍ରଦେଶ ସୀମାର ଗାଜିପୁରକୁ ହଜାର ହଜାର ସଂଖ୍ୟାରେ କୃଷକ ଟ୍ରାକ୍ଟର ଯୋଗେ ପହଞ୍ଚିଥିଲେ।

ଅନେକ କୃଷକ ସେମାନଙ୍କ ଟ୍ରାକ୍ଟର ଟ୍ରଲିରେ ରୋଷେଇ ପାଇଁ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ଧରି ବୁଲୁଛନ୍ତି। ଦୀର୍ଘ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଇତି ମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, କୃଷକଙ୍କ ଅବିସ୍ମରଣୀୟ ସତ୍ୟାଗ୍ରହ ପାଇଁ ଏହି ଆନ୍ଦୋଳନ ଇତିହାସରେ ଲିପିବଦ୍ଧ ରହିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, କୃଷକ ଆନ୍ଦୋଳନକୁ ବର୍ଷେ ପୂରିଥିବାବେଳେ କୃଷକମାନେ ଆମକୁ ଶିଖାଇ ଦେଇଛନ୍ତି ଧୈର୍ଯ୍ୟର ସହ କିଭଳି ଅଧିକାର ପାଇଁ ଲଢ଼ିବାକୁ ହେବ।

ସିଂଘୁ ସୀମାରେ ବି ଚାଷୀମା‌ନେ ଆଜି ଏକଜୁଟ ହୋଇଛନ୍ତି। କୃଷକଙ୍କ ଆନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସ ଆଜି ଜାତୀୟ ରାଜଧାନୀର ବିଭିନ୍ନ ସୀମା ନିକଟରେ ସୁରକ୍ଷା କଡ଼ାକଡ଼ି କରିଛି। ଦିଲ୍ଲୀରେ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛି। ପୁଲିସ ମଧ୍ୟ ଚାଷୀ ‌ନେତାମାନଙ୍କ ସହ ଏସଂକ୍ରାନ୍ତରେ ବୈଠକ କରିଛି। ଉଲ୍ଲେଖଯୋଗ୍ୟ, ଗତ ଗୋଟିଏ ବର୍ଷ ଧରି କୃଷକମାନେ ସିଂଘୁ , ଟିକରି ଏବଂ ଗାଜିପୁର ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର